ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତିି ଘଟଣା: ଚିଠିକୁ ନେଇ ବଢ଼ୁଛି ଅଡୁଆ

ପୁରୁଷୋତ୍ତମପୁର,୫।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାର କେବେ ଗୁମର ଫିଟିବ ସେ ନେଇ ଅଞ୍ଚଳବାସୀ ଚାହିଁ ବସିଥିବାବେଳେ ସବରେଜିଷ୍ଟ୍ରାର ପୋଲିସ ନିକଟକୁ ପଠାଇଥିବା ଚିଠି ବାଟବଣା ହୋଇିଛି। ଏହି ଘଟଣାଟି ଅଞ୍ଚଳରେ ଅତି ସମ୍ବେଦନଶୀଳ ହୋଇଥିବାବେଳେ ଦୀର୍ଘଦିନ ବିତିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ  ନ ହେବା ଘଟଣା ଏକପ୍ରକାରର ସନ୍ଦେହ ଘେରକୁ ଆସିିଛି।
ଅନ୍ୟପକ୍ଷରେ କେହି ବଡବଡିଆ ନେତା କି ଅଫିସରଙ୍କ ଚାପରେ ଫାଇଲ ଚାପିହୋଇ ପଡିଛି  ନା ଦୋଷୀଙ୍କୁ ଅଧିକାରୀମାନେ ଘୋଡାଇବାରେ ଲାଗିଛନ୍ତି ତାହା ମଧ୍ୟ ଏକପ୍ରକାରର ସନ୍ଦେହ ସୃଷ୍ଟି କରିଛି। ଏନେଇ  ନୂତନ ସବରେଜିଷ୍ଟ୍ରାର ପ୍ରଫୁଲ୍ଲ କୁମାର ଛୁରା କହିଛନ୍ତିଯେ, ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ନିଜ ଅଫିସର ରେକର୍ଡପତ୍ର ଯାଞ୍ଚକରି ସମସ୍ତ ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରସ୍ତୁତ ଦସ୍ତାବିଜକୁ ନେଇ ବିକ୍ରେତା, କ୍ରେତା, ସାକ୍ଷୀ ଓ ଲେଖକ ସମସ୍ତଙ୍କ ବିଷୟକୁ ଆଧାର ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶନାମା ଚିଠିସହ  ଭାରତୀୟ ସଂହିତା ୨୦୨୩ ପ୍ରକାରେ କାର୍ଯ୍ୟାନୁଷ୍ଠାନ ନେବାଲାଗି  ଅଫିସ ଚିଠିନଂ ୧୩୫୬ରେ ଗତ ମାସ ୨୪ ତାରିଖରେ ଅଫିସିଆଲ ଚିଠି ପ୍ରକାରେ ପୁରୁଷୋତ୍ତମପୁର ଥାନାରେ ଏକଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଏହାର ତଦନ୍ତକରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବେ ବୋଲି କହିଥିବା ବେଳେ ଏହାକୁନେଇ ଥାନା ଆଇଆଇସି ରାଜେଶକୁମାର ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସବରେଜିଷ୍ଟ୍ରାର ଅଫିସରୁ କିଛି ଚିଠି ଆସି ନ ଥିବା ସେ କହିଛନ୍ତି। ହେଲେ ସବରେଜିଷ୍ଟ୍ରାର ଲିଖିତ ଅଭିଯୋଗ ପଠାଇଥିବା ନେଇ କହିଥିବା ବେଳେ ଆଇଆଇସି ଚିଠି ଆସି ନ ଥିବା କହିବା ଘଟଣାଟି  ସନ୍ଦେହକୁ ଅଧିକ ଘନୀଭୂତ କରିଛି ।
ପ୍ରଶ୍ନ ଉଠୁଛି ଯେ, ସହର ମଧ୍ୟରେ ଏକ କିଲୋମିଟରୁ କମ ଦୂରତା ମଧ୍ୟରେ ଉଭୟ ଥାନା ଓ ସବରେଜିଷ୍ଟ୍ରାର ଅଫିସ ରହିଥିବାବେଳେ ଦୀର୍ଘ ୧୩ ଦିନ ବିତିଥିଲେ ସୁଦ୍ଧା ଥାନାରେ ଚିଠି ପହଞ୍ଚି ନ ଥିବା ଘଟଣା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ପାଲଟିଛି।
ସୂଚନାଯୋଗ୍ୟ, ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ରାଣୀଗାଁ ମୌଜାରେ ବଡବର ଗାଁର  ଦଣ୍ଡପାଟ ବାଉରିଦୋରା ପିତା ଦଣ୍ଡପାଟ କ୍ରିଷ୍ଣାମା ଦୋରାଙ୍କ ନାମରେଥିବା  ଖାତାନଂ ୩୯୦ରେ ରହିଥିବା ଦୁଇଟିି ପ୍ଲଟରେ ଥିବା ବିଲ ପ୍ଲଟନଂ ୩୦୬୨  ଓ ପ୍ଲଟନଂ ୩୦୬୩ ରହିଛି। ସେ ୨୦୧୦ ଡିସେମ୍ବରରୁ ମୃତ୍ୟୁବରଣ କରିସାରିଛନ୍ତି। ମାତ୍ର ତାଙ୍କର ଏହି ଜମିକୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୋଳାସିଙ୍ଗିଗ୍ରାମର ପି.ମହେନ୍ଦ୍ର ଦୋରା ପିତା ପି.ରାମଚନ୍ଦ୍ର ଦୋରା ନାମକ ବ୍ୟକ୍ତି ନିଜର ଆଧାରକାର୍ଡକୁ ଜାଲିଆତି କରି ଦଣ୍ଡପାଟ ବାଉରିଦୋରାଙ୍କ ନାମରେ ନକଲି ଆଧାରକାର୍ଡ ପ୍ରସ୍ତୁତ କରାଇ କବିସୂର୍ଯ୍ୟନଗର ଥାନାଅନ୍ତର୍ଗତ ବଡଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ଗ୍ରାମର ଭାଗ୍ୟଲତା ମହାପାତ୍ର ସ୍ବାମୀ ସରୋଜକୁମାର ଦାଶଙ୍କୁ ଜୁନରେ ବିକ୍ରି କରିଦେଇଛନ୍ତି।
ଏହି ଘଟଣାକୁ ନେଇ ଗତମାସ ୧୯ ତାରିଖରେ କଂଗ୍ରେସ ମୁହଁଖୋଲି  ପ୍ରତିବାଦକରି  ସରକାର ଓ ପ୍ରଶାସନକୁ କଡା ସମାଲୋଚନାକରି  ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ରୋକଠୋକ ଭାବରେ ଚେତାବନୀ ଦେଇ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ଏହି ଅଭିଯୋଗକୁ ନେଇ ଅତିରିକ୍ତ ଜିଲାପାଳ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନୂତନଭାବେ ଯୋଗଦେଇଥିବା ସବରେଜିଷ୍ଟ୍ରାର ପ୍ରଫୁଲ୍ଲ କୁମାର ଛୁରାଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Dharitri – Odisha’s No.1 Odia Daily