ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଆର୍ୟନ ଖାନ୍ଙ୍କ ‘ଦି ବ୍ୟାଣ୍ଡ୍ସ ଅଫ୍ ବଲିଉଡ୍’ ଓ୍ବେବ୍ ସିରିଜ୍ରେ ଅଭିନେତା ଲକ୍ଷ୍ୟ ଲାଲ୍ଓ୍ବାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିରିଜ୍ରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା। ୨୦୨୩ରେ ରିଲିଜ୍ ହୋଇଥିବା ‘ଧର୍ମା ପ୍ରଡକ୍ସନ’ ଦ୍ୱାରା ନିର୍ମିତ ‘କିଲ୍’ ଫିଲ୍ମରେ ଲକ୍ଷ୍ୟ ବଲିଉଡ୍ରେ ଡେବ୍ୟୁ କରିଥିଲେ। ରିପୋର୍ଟ ଅନୁଯାୟୀ, ସମ୍ପ୍ରତି ଲକ୍ଷ୍ୟ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ‘ଚାନ୍ଦ ମେରା ଦିଲ୍’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଲକ୍ଷ୍ୟଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜରକୁ ଆସିବେ। ବିବେକ ସୋନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଲକ୍ଷ୍ୟ ଏବଂ ଅନନ୍ୟାଙ୍କ ଲଭ୍ ଷ୍ଟୋରି ଦେଖିବାକୁ ମିଳିବ। ୨୦୨୬ରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଲକ୍ଷ୍ୟଙ୍କ ଆଗାମୀ ପ୍ରୋଜେକ୍ଟଗୁଡ଼ିକ ମଧ୍ୟରେ ଧର୍ମା ପ୍ରଡକ୍ସନର ‘ଦୋସ୍ତାନା ୨’ ଫିଲ୍ମ ରହିଛି। ଉକ୍ତ ଫିଲ୍ମରେ ଲକ୍ଷ୍ୟଙ୍କ ସହ ଅଭିନେତା ବିକ୍ରାନ୍ତ ମେସିଙ୍କୁ ଦେଖିବାକୁ ମିଳିବ। ସେହିପରି ‘ଦୋସ୍ତାନା ୨’ରେ ଲକ୍ଷ୍ୟଙ୍କ ବିପକ୍ଷରେ ଅଭିନେତ୍ରୀ ପ୍ରତିଭା ରାଣ୍ଟା କିମ୍ବା ଶ୍ରୀଲୀଲାଙ୍କୁ ଦେଖିବାକୁ ମିଳିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily