Categories: Home Leftଖେଳ

ଲକ୍ଷ୍ୟ ସେନ୍‌ ଅଷ୍ଟ୍ରେଲିଆନ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ

ସିଡ୍‌ନୀ,୨୩ା୧୧: ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଅଷ୍ଟ୍ରେଲିଆନ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଟାଇଟଲ ବିଜୟୀ ହୋଇଛନ୍ତି। ରବିବାର ଫାଇନାଲରେ ସେ ଜାପାନର ୟୁଶି ଟନକାଙ୍କୁ ହରାଇ ଦେଇଛନ୍ତି। ୨୦୨୫ ସିଜନରେ ଏହା ହେଉଛି ତାଙ୍କର ପ୍ରଥମ ଟାଇଟଲ।

ପ୍ୟାରିସ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିବା ପରେ ଆଲମୋରାର ଏହି ୨୪ ବର୍ଷୀୟ ଖେଳାଳି ଖରାପ ସମୟ ଦେଇ ଗତି କରୁଥିଲେ। ରବିବାର ଫାଇନାଲରେ ସେ ୨୬ ବର୍ଷୀୟ ଟନକାଙ୍କୁ ୨୧-୧୫, ୨୧-୧୧ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ଜିତିବା ଲାଗି ଲକ୍ଷ୍ୟ ୩୮ମିନିଟ ସମୟ ନେଇଥିଲେ। ଏଥିସହ ସେ ପୁରସ୍କାର ବାବଦରେ ୪୭୫,୦୦୦ ଆମେରିକୀୟ ଡଲାର ପୁରସ୍କୃତ ହୋଇଛନ୍ତି।

ଲକ୍ଷ୍ୟ କହିଛନ୍ତି, ଚଳିତ ସିଜନରେ ସେ ଉତ୍‌ଥାନ ଓ ପତନ ଦେଇ ଗତି କରିଛନ୍ତି। ଭଲ ଫଳାଫଳ ସହ ସିଜନ ଶେଷ କରିଥିବାରୁ ସେ ଖୁବ୍‌ ଆନନ୍ଦିତ। ଲକ୍ଷ୍ୟ ହେଉଛନ୍ତି ୨୦୨୧ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜେତା। ଗତଥର ସେ ତାଙ୍କର ଏକ ସୁପର ୩୦୦ ଟାଇଟଲ ୨୦୨୪ରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲରେ ଜିତିଥିଲେ। ମାତ୍ର ସେହିବର୍ଷ କାନାଡା ଓପନ ଜିତିବା ପରେ ଗୋଟିଏ ହେଲେ ବଡ଼ ଟୁର୍ନାମେଣ୍ଟ ଜିତିପାରି ନ ଥିଲେ, ଯଦିଓ ସେପ୍ଟେମ୍ବରରେ ହଂକଂ ସୁପର ୫୦୦ରେ ସେ ରନରଅପ୍‌ ହୋଇଥିଲେ। ଏଠାରେ ସେ ଚଳିତବର୍ଷ ଓର୍ଲିନ୍ସ ମାଷ୍ଟର୍ସ ଓ ୟୁଏସ୍‌ ଓପନରେ ଦୁଇଟି ସୁପର ୩୦୦ ଟାଇଟଲ ବିଜେତା ବିଶ୍ୱର ୨୬ ନମ୍ବର ଟନକାଙ୍କୁ ପରାସ୍ତ କରି ଅଷ୍ଟ୍ରେଲିଆନ ଓପନ ଜିତିଛନ୍ତି। ସେ ଉଚ୍ଚକୋଟୀର ପ୍ରଦର୍ଶନ ସହ ଗୋଟିଏ ହେଲେ ଗେମ୍‌ ଡ୍ରପ୍‌ ନ କରି ମ୍ୟାଚକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିଲେ।