ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ ଚିକିଲି ଗ୍ରାମର ଜଣେ ବିଧବା ମହିଳା ମନୋରମା ମହାନ୍ତିଙ୍କ ଘରେ ପଶି ଦୁର୍ବୃତ୍ତମାନେ ଝିଅ ବାହାଘର ପାଇଁ ରଖିଥିବା ୭୦ ଗ୍ରାମ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ବେଳେ ଏହାର ୨୪ଘଣ୍ଟା ପରେ ଗୁରୁବାର ରାତିରେ ଖଲ୍ଲିକୋଟ ସହର ମଧ୍ୟରେ ଥିବା ଜୟଦୁର୍ଗା ନଗରରୁ ଆଉ ଏକ ଚୋରି ହୋଇଛି। ଏକ ବିଲ୍ଡିଂରେ ରୁବୀ ଗୌଡ଼ ଭଡାରେ ରହୁଥିବା ବେଳେ ସେ ଗତକାଲି କିଛି କାମ ପାଇଁ ଘରେ ତାଲା ପକାଇ ନିଜ ଗାଁକୁ ଯାଇଥିଲେ। ଶୁକ୍ରବାର ଫେରିବା ପରେ ଘର ତାଲା ଭାଙ୍ଗି ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗଡରେଜ ଆଲମିରା ଭାଙ୍ଗି ଦୁର୍ବୃତ୍ତ ମାନେ ୩୫ ଗ୍ରାମ ଓଜନର ସୁନା ହାର ଓ ୧୫ ହଜାର ଟଙ୍କା ନେଇଥିବା ଜଣାପଡ଼ିଥିଲା। ତାଙ୍କ ପଡ଼ିଶା ଘରୁ ମଧ୍ୟ ଏକ ଲାପଟପ ଚୋରି କରି ନେଇଥିବା ଜଣାପଡ଼ିଥିଲା। ରୁବି ଥାନାରେ ଏତଲା ଦେବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଖଲ୍ଲିକୋଟ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ୬ଟି ଘରୁ ଚୋରି ହୋଇଥିବା ବେଳେ ଏହା ସପ୍ତମ ଚୋରି ଘଟଣା।

Share
Tags: ganjam