ଲଖନା ପଞ୍ଚାୟତ: ଭତ୍ତାରୁ ବଞ୍ଚିତ ବୃଦ୍ଧାବୃଦ୍ଧ

ନୂଆପଡ଼ା,୧୯ା୧୧(ମକାରୁ ବେମାଲ) -ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଲଖନା ପଞ୍ଚାୟତ ଅନ୍ତର୍ଗତ ମୁରଲିବାହାଲି ଗାଁରେ ଅନେକ ବୃଦ୍ଧାବୃଦ୍ଧ ଭତ୍ତାରୁ ବଞ୍ଚତ୍ତ ହୋଇ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ଦାଶଙ୍କ ଅନୁପସ୍ଥିତିରେ ସେମାନେ ଡାକ ବାକ୍ସରେ ଦରଖାସ୍ତ ଦେଇ ଫେରିଯାଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ମୁରଲିବାହାଲି ଗାଁର ଉକିଆ ନିଆଲ (୬୪)ଙ୍କ ସ୍ବାମୀ ଜଣେ ମାନସିକ ବିକୃତ ଓ ସେ ଅନେକ ଦିନ ହେବ ଘର ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି। ଘରେ ଏକୁଟିଆ ବୃଦ୍ଧା ଉକିଆଙ୍କ ଦେଖାରଖା ପାଇଁ କେହି ନାହାନ୍ତି। କାମଧନ୍ଦା ପାଉ ନ ଥିବାରୁ ଅନେକ ସମୟରେ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ହୋଇପାରୁନାହିଁ। ସେହିପରି ଉକ୍ତ ଗାଁର ଅଁଳା ତାଣ୍ଡି (୬୦)ଙ୍କ ସ୍ବାମୀ ଅମୃତ ତାଣ୍ଡି ୨୦୨୪ ଜୁଲାଇ ୨୧ରେ ମୃତ୍ୟୁବରଣ କରିସାରିଛନ୍ତି। ପ୍ରାୟ ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଅଁଳା ବିଧବାଭତ୍ତା ପାଇନାହାନ୍ତି। ଏମାନେ ପଞ୍ଚାୟତଠାରୁ ଆରମ୍ଭକରି ବ୍ଲକ୍‌କୁ ଯାଇ ବିଡିଓଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ନିରାଶ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀ ପଞ୍ଚାୟତ ତଦାରଖରେ ଯାଉ ନ ଥିବାରୁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଧାର ସର୍ଭେ ସମୟରେ ଅଧିକାରୀମାନେ ଘରକୁ ଘର ନ ଯାଇ ଗାଁର ଗୋଟିଏ ସ୍ଥାନରେ ବସି ୱାର୍ଡମେମ୍ବର ବା ବୟୋଜ୍ୟେଷ୍ଠଙ୍କୁ ପଚାରି ସର୍ଭେ କରିଥିବାରୁ ଆଜି ଏହିଦିନ ଦେଖିବାକୁ ପଡୁଛି। ଯୋଗ୍ୟ ହିତାଧିକାରୀ ଆଧାର ଅନୁସାରେ ଭତ୍ତା ପାଇପାରୁନାହାନ୍ତି। ତୁରନ୍ତ ବୃଦ୍ଧାବୃଦ୍ଧ, ବିଧବା, ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ଭତ୍ତା ଯୋଜନାରେ ସାମିଲକରିବା ପାଇଁ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ଦାବି କରିଛନ୍ତି ା

 

Dharitri – Odisha’s No.1 Odia Daily