ବିଶ୍ୱସନୀୟତାର ଅଭାବ କୃଷି ସଂସ୍କାରକୁ କଣ୍ଟା

ଇଂ. ଶକ୍ତି ପ୍ରସାଦ ଦାସ

ନିକଟରେ ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇସାରିଛି। ନୂତନ ଆଇନଗୁଡିକ ପ୍ରଚଳିତ କୃଷି ବିପଣନ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିବ ବୋଲି ଦାବି କରାଯାଉଛି। ସାମଗ୍ରିକ ଭାବରେ ଏହି ଆଇନ ଗୁଡିକ ଦ୍ୱାରା କୃଷି କ୍ଷେତ୍ରର ଉଭୟ ପ୍ରାନ୍ତକୁ ମୁକ୍ତ କରିବାକୁ ଚେଷ୍ଟା କରାଯାଇଛି। କୃଷି ଉତ୍ପାଦନକୁ ଚୁକ୍ତିଭିତ୍ତିକ ଚାଷ ମାଧ୍ୟମରେ ଏବଂ ବିପଣନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣମୁକ୍ତ କରି କୃଷି କ୍ଷେତ୍ରକୁ ବଜାର ଅଭିମୁଖୀ କରାଯିବାକୁ ଚେଷ୍ଟା କରାଯାଇଛି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବାହାରେ ଚାଷୀ ନିଜର କୃଷି ଉତ୍ପାଦକୁ ଘରୋଇ ବ୍ୟବସାୟୀଙ୍କୁ ବିକ୍ରି କରିପାରିବ ଏବଂ ଏଥିପାଇଁ ସରକାରୀ ବିଧିବ୍ୟବସ୍ଥା ମଧ୍ୟରେ ଚୁକ୍ତି ମଧ୍ୟ କରିପାରିବ। ବ୍ୟବସାୟୀ ମଧ୍ୟ ପ୍ରତିଯୋଗିତା କରି ଚାଷୀଙ୍କଠାରୁ ଉତ୍ପାଦକୁ କିଣି ପାରିବ ଓ ମହଜୁଦ କରି ରଖିପାରିବ।
କେତେକ ପ୍ରଚଳିତ ବ୍ୟବସ୍ଥା ଚାଷୀଙ୍କୁ ଏମ୍‌ଏସ୍‌ପିର ଏକଚାଟିଆ କାରବାର ମଧ୍ୟରେ ବାନ୍ଧି ରଖିଥିବାର ଆରୋପ ଲଗାଉଥିବାବେଳେ, ଅନ୍ୟମାନେ ଏମ୍‌ଏସ୍‌ପିକୁ ଏକ ସୁରକ୍ଷା କବଚ ହିସାବରେ ଦେଖୁଛନ୍ତି। ଏମାନଙ୍କ ମତରେ, ଏମ୍‌ଏସ୍‌ପି ଜରିଆରେ ଚାଷୀ ଅତି କମ୍‌ରେ ଏକ ସର୍ବନିମ୍ନ ମୂଲ୍ୟ ପାଇବାକୁ ନିଶ୍ଚିତ ଥିଲା। ଏହି ବିତର୍କ ରାଜନୈତିକ ରୂପ ନେଇଛି ଏବଂ ମତାମତ ତୀବ୍ର ଭାବରେ ଧୃବିକୃତ ହୋଇସାରିଛି। କୃଷି କ୍ଷେତ୍ରର ବିଭିନ୍ନ ହିତଧାରକ, ଯେପରି କି ଚାଷୀ, ମଧ୍ୟସ୍ଥ, ବ୍ୟବସାୟୀ ଓ ରାଜନୈତିକ ଲୋକମାନେ ନିଜ ନିଜ ସ୍ବାର୍ଥ ଦୃଷ୍ଟିରୁ ଏହି ସଂସ୍କାରଧର୍ମୀ ଆଇନଗୁଡିକୁ ତର୍ଯ୍ୟମା କରୁଛନ୍ତି।
ଦଶନ୍ଧି ଦଶନ୍ଧି ଧରି ରାଷ୍ଟ୍ରର ସହଯୋଗ ଓ ସହାନୁଭୂତି ହରାଇବା ଭିତରେ ଚାଷୀ ସରକାରଙ୍କୁ ବିଶ୍ୱାସକୁ ନେଇପାରୁନାହିଁ। ରାଷ୍ଟ୍ର ସବୁବେଳେ ଉତ୍ପାଦନ ଅଭିମୁଖୀ ହୋଇ, ଉତ୍ପାଦକ(ଚାଷୀ) କଥା ଭୁଲିଯାଇଛି। ରାଷ୍ଟ୍ର ଖାଦ୍ୟ ନିରାପତ୍ତା କଥା ଚିନ୍ତା କରାଗଲାବେଳେ, ଅନ୍ନଦାତା କଥା ଭୁଲିଯାଇଛି। ସ୍ବାଧୀନତା ପରବର୍ତ୍ତୀ ଅବସ୍ଥାରେ ଖାଦ୍ୟାଭାବରେ ଜର୍ଜରିତ ଭାରତକୁ ସବୁଜ ବିପ୍ଳବ ଜରିଆରେ ଖାଦ୍ୟ ନିରାପତ୍ତା ଆଣିଦେଇଥିବା ଏହି ଚାଷୀକୁଳ ଏବେ ବି ଦାରିଦ୍ର୍ୟକୁ ଯୁଝୁଛନ୍ତି। ସରକାରଙ୍କ ମଧ୍ୟବିତ୍ତ ଉପଭୋକ୍ତାଙ୍କୁ ତୁଷ୍ଟ କରିବା ନୀତି ପାଇଁ ଚାଷୀକୁ ମୂଲ୍ୟ ଦେବାକୁ ପଡିଛି।
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଅଧିକାଂଶ ଚାଷୀ ନିଜ ଜମିରୁ ଚାଷର ମୂଳଧନ ଅସୁଲ କରିବାରେ ସକ୍ଷମ ହୋଇପାରିନାହାନ୍ତି। ପ୍ରଚଳିତ ମୂଲ୍ୟ ଧାରାକୁ ଅନୁଶୀଳନ କଲେ ଦେଖାଯାଏ ଯେ, ମକା, ଧାନ, କପା, ସୋୟାବିନ୍‌ ଓ ବାଜରା ପରି ଅନେକ ଫସଲ ଏମ୍‌ଏସ୍‌ପିଠାରୁ କମ୍‌ ଦରରେ ବିକ୍ରି ହେଉଛି। କୃଷି ପ୍ରତି ସାମଗ୍ରିକ ଆର୍ଥିକ ପ୍ରତିବଦ୍ଧତା ହ୍ରାସ ପାଇଛି। ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ସ୍ଥିର ହୋଇ ରହିଛି ଏବଂ ଯଦି ମୁଦ୍ରାସ୍ଫୀତିକୁ ଯୋଗ କରାଯାଏ, ତେବେ ଚାଷୀ ତା’ର ଉତ୍ପାଦର ମୂଲ୍ୟ ବାବଦରେ କ୍ଷତି ସହୁଛି।
ଉଦାରୀକରଣ ପରେ ୨୦୧୧-୧୨ ଓ ୨୦୧୭-୧୮ (ଚିଠା)ର ଏନଏଏସଓ ତଥ୍ୟକୁ ଅନୁଶୀଳନ କଲେ ଜଣାଯାଏ ଯେ, ଦେଶରେ ମୁଣ୍ଡପିଛା ଖର୍ଚ୍ଚ ଦୃଷ୍ଟିରୁ ସହରାଞ୍ଚଳ/ ଗ୍ରାମାଞ୍ଚଳ ଅନୁପାତ, ଏହି ସମୟ ମଧ୍ୟରେ ୧.୮୪ ରୁ ୨.୪୨କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଜଣେ ସାଧାରଣ ସହରୀ ବାସିନ୍ଦା ଜଣେ ଗାଁର ସାଧାରଣ ଲୋକ ତୁଳନାରେ ପ୍ରାୟ ଅଢେଇ ଗୁଣ ବ୍ୟୟ କରନ୍ତି। ଅର୍ଥାତ୍‌ ଚାଷୀର କ୍ରୟଶକ୍ତି ଦିନକୁ ଦିନ କମିବାରେ ଲାଗିଛି। ଅପରପକ୍ଷରେ, ଭାରତୀୟ କୃଷି ବ୍ୟବସ୍ଥାରେ ବଡ ବଡ ଉଦ୍ୟୋଗପତିଙ୍କ ସପକ୍ଷରେ ଅତ୍ୟଧିକ ସବ୍‌ସିଡି ଦିଆଯାଇଛି। ୨୦୧୯-୨୦ର କେନ୍ଦ୍ରୀୟ ବଜେଟରେ କୃଷି ମନ୍ତ୍ରଣାଳୟ ପାଇଁ ୧,୩୦,୪୮୫ କୋଟି ଟଙ୍କା ବ୍ୟୟ ବରାଦ ରହିଥିବାବେଳେ, କେବଳ ସାର ସବ୍‌ସିଡି ବାବଦରେ ୭୯,୯୯୬ କୋଟି ଟଙ୍କା ବରାଦ ହୋଇଥିବା ଆକଳନ କରାଯାଇଛି। ବିଗତ ଦଶନ୍ଧିରେ କୃଷି ଇନପୁଟ୍‌ ବଜାରରେ ରାସାୟନିକ ସାର, ବିହନ, କୀଟନାଶକ ଇତ୍ୟାଦିରେ ଉଦ୍ୟୋଗୀକରଣ ଖୁବ୍‌ ବଢିଛି। ଏଗୁଡିକର ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ଘଟିଛି। କୃଷି ମନ୍ତ୍ରଣାଳୟ ଦର୍ଶାଇଛି କି ଇନ୍‌ପୁଟଗୁଡିକର ମୂଲ୍ୟ ବୃଦ୍ଧି କୃଷି ବାଣିଜ୍ୟ ଅବନତିର ସବୁଠାରୁ ବଡ କାରଣ।
କୃଷି ଦକ୍ଷତା ଆଶାନୁରୂପ ଭାବରେ ବୃଦ୍ଧି ନ ପାଇବା କାରଣରୁ, ଏନ୍‌ଏସ୍‌ଏସ୍‌ଓ ତଥ୍ୟ ଅନୁଯାୟୀ, ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୩କୋଟି ୪୦ଲକ୍ଷ ଲୋକ କୃଷି କ୍ଷେତ୍ର ଛାଡିଛନ୍ତି। ଆମେରିକା, ୟୁରୋପିଆନ ୟୁନିଅନ ଭଳି ପାଶ୍ଚାତ୍ୟ ଦେଶଗୁଡିକରେ କୃଷି କ୍ଷେତ୍ର ଛାଡିଥିବା ଲୋକମାନଙ୍କ ପାଇଁ ଶିଳ୍ପ କିମ୍ବା ସେବା କ୍ଷେତ୍ରରେ ବିକଳ୍ପ ନିଯୁକ୍ତିର ସୁଯୋଗ ରହିଥିଲା। କିନ୍ତୁ, ଭାରତରେ ସ୍ଥିତି ଅଲଗା। ଏଠାରେ ନା କୃଷି କ୍ଷେତ୍ରରେ ନା ଶିଳ୍ପରେ, ସେପରି ପ୍ରତିସମ ବ୍ୟବସ୍ଥିତ ସୁଯୋଗ ରହିଛି। ନିକଟରେ କରୋନା ମହାମାରୀରେ ବଡ ବଡ ସହରଗୁଡିକରେ ଅଣସଙ୍ଗଠିତ ଶ୍ରମଜୀବୀଙ୍କ ଦୁର୍ଦ୍ଦଶାରୁ ଏହା ସହଜରେ ଅନୁମେୟ।
ଏସବୁ ବ୍ୟତୀତ, ନୂତନ କୃଷି ଆଇନଗୁଡିକ କାର୍ଯ୍ୟକାରୀ କରିବାରେ କିଛି ଅସୁବିଧା ରହିଥିବାର ଅନୁଭବ କରାଯାଏ। ଦେଶର ୮୫ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ବର୍ଗର ହୋଇଥିବାବେଳେ, ବଡ ବଡ ବ୍ୟବସାୟୀମାନେ ଏତେ ସଂଖ୍ୟାରେ ଛୋଟ ଚାଷୀଙ୍କ ଘର ଘର ବୁଲି କୃଷି ଉତ୍ପାଦ କ୍ରୟ କରିବା ସମ୍ଭବ ହୋଇ ନ ପାରେ। ବଡ ବଡ ଉଦ୍ୟୋଗପତିଙ୍କ ସମକ୍ଷରେ ଛୋଟ ଚାଷୀମାନେ ମୂଲଚାଲ କରିବାର କ୍ଷମତା ହରାଇ ବସିବାର ଆଶଙ୍କା ମଧ୍ୟ ରହିଛି। ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ ବିନା ମହାମାରୀ ମଧ୍ୟରେ ଏହି ଆଇନଗୁଡିକୁ ଅଧ୍ୟାଦେଶ ଭାବରେ ଅଣାଯାଇଥିବାରୁ ସଂଘୀୟ ସହଯୋଗିତା ଓ ରାଜ୍ୟମାନଙ୍କର ନିୟାମକ କ୍ଷମତା ଉପରେ କେନ୍ଦ୍ରର ଜବରଦଖଲ ଉପରେ ଅନେକେ ପ୍ରଶ୍ନ କରୁଛନ୍ତି।
କୃଷି ସଂସ୍କାର ଆଇନଗୁଡିକର ଅର୍ଥନୈତିକ ତାତ୍ପର୍ଯ୍ୟ ରହିଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଏଗୁଡିକ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ପାଇଁ ଅଧିକ ପସନ୍ଦ ଓ ସ୍ବାଧୀନତା ଯୋଗାଇଦେବ। ପ୍ରତିଯୋଗିତା ମାଧ୍ୟମରେ ବ୍ୟବସାୟୀମାନଙ୍କୁ କ୍ରୟ ଓ ସଂରକ୍ଷଣ ପାଇଁ ପ୍ରୋତ୍ସାହିତ କରିବ। ଏହି ପ୍ରତିଯୋଗିତା ମାର୍କେଟିଂ ଖର୍ଚ୍ଚକୁ ହ୍ରାସ କରି, ଉତ୍ତମ ମୂଲ୍ୟ ହାସଲ କରିବା ପାଇଁ ଚାଷୀଙ୍କୁ ସକ୍ଷମ କରିବ। ସାଧାରଣ ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ହ୍ରାସର ସମ୍ଭାବନା ସୃଷ୍ଟି କରି କୃଷି କ୍ଷେତ୍ରରେ ଅଧିକ ଦକ୍ଷ ମୂଲ୍ୟ ଶୃଙ୍ଖଳା ଗଠନ କରିବାରେ ସହାୟକ ହୋଇପାରେ।
ଅପରପକ୍ଷରେ, ନିର୍ମାଣକୃତ ଶିଳ୍ପଜାତ ଦ୍ରବ୍ୟ ଭଳି କୃଷିଜାତ ଦ୍ରବ୍ୟର ଉତ୍ପାଦନକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ କିମ୍ବା ପଚନଶୀଳ ଗୁଣ ଯୋଗୁ ଏସବୁକୁ ମହଜୁଦ କରି ରଖିବା ମଧ୍ୟ ସମ୍ଭବ ନୁହେଁ। ଫସଲ ଅମଳ ଋତୁରେ ପ୍ରଚୁର ଯୋଗାଣ ଏବଂ ସ୍ଥିର ଚାହିଦା ହେତୁ ମୂଲ୍ୟ ହ୍ରାସ ପାଇବା ଏକ ସ୍ବାଭାବିକ ପ୍ରକ୍ରିୟା। ତେଣୁ ଯେକୌଣସି ପ୍ରକାରର ବଜାର ସଂସ୍କାର ଏବଂ ଘରୋଇ ବ୍ୟବସାୟୀଙ୍କ ପାଇଁ କୃଷି ବଜାରକୁ ଉନ୍ମୁକ୍ତ କରିବା ସମୟରେ କୃଷିଜାତ ଦ୍ରବ୍ୟର ଏହି ବିଶେଷତ୍ୱକୁ ଆଖିରେ ରଖି ସମସ୍ତ କୃଷି ଉତ୍ପାଦ ପାଇଁ ଏମ୍‌ଏସ୍‌ପିର ସୁରକ୍ଷା କବଚକୁ ଚାଷୀ ପାଇଁ ମୂଲ୍ୟ ହାସଲରେ କିପରି ସଂଯୋଜିତ କରାଯାଇପାରିବ ସେ ବିଷୟରେ ଖୋଲା ମନରେ ଚିନ୍ତା କରିବାକୁ ପଡିବ।
ବେଳେବେଳେ ଦୁର୍ବଳ କାର୍ଯ୍ୟକାରିତା ହେତୁ ଉତ୍ତମ ଆଇନଗୁଡିକର ବାଞ୍ଛିତ ଉଦ୍ଦେଶ୍ୟ କରାଯାଇ ପାରେନାହିଁ। ଉଦାହରଣ ସ୍ବରୂପ, ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ କୃଷକମାନଙ୍କ ପାଇଁ ଆଧୁନିକ ବଜାରର ଶୃଙ୍ଖଳା ସ୍ଥାପନ ଲାଗି ଗ୍ରାମୀଣ କୃଷି ବଜାର ନାମରେ ୨୦୦୦ କୋଟି ଟଙ୍କାର ପାଣ୍ଠି ଏକ ଏଗ୍ରି-ମାର୍କେଟ ଭିତ୍ତିଭୂମି ପାଣ୍ଠି (ଏଏମଆଇଏଫ୍‌) ସୃଷ୍ଟି କରାଯାଇଥିଲା। ଘୋଷଣାର ଦୁଇ ବର୍ଷ ପରେ, ମାତ୍ର ୧୦.୪୫କୋଟି ଟଙ୍କା (୦.୫ପ୍ରତିଶତ) ଖର୍ଚ୍ଚ କରାଯାଇଥିବାର ଜଣାଯାଏ। ପ୍ରସ୍ତାବିତ ୨୨,୦୦୦ ବଜାର ମଧ୍ୟରୁ କେବଳ ୩୭୬ଟି ବଜାରର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହୋଇପାରିଛି। ଏଣେ, ସାଧାରଣ ଚାଷୀଟିଏ ତା’ର ଉତ୍ପାଦ ବିକ୍ରି କରିବା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛି। ତେଣୁ, ଏ ବାବଦରେ କେନ୍ଦ୍ର ସରକାରଙ୍କୁ ସମସ୍ତ ହିତଧାରକଙ୍କୁ ସାଥିରେ ନେଇ କାମ କରିବାର ଅଛି। ବୃତ୍ତିଗତ ପରାମର୍ଶ ଗ୍ରହଣ କରି ଚାଷୀମାନଙ୍କ ସହିତ କାର୍ଯ୍ୟ କରୁଥିବା ବିଭିନ୍ନ ବେସରକାରୀ ସଂସ୍ଥା ଓ ଘରୋଇ ସଂସ୍ଥା ସହିତ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପଡିବ। ଖାଲି ପ୍ରତିଶ୍ରୁତି ନୁହେଁ, ଆନ୍ତରିକ କାର୍ଯ୍ୟ ପ୍ରକ୍ରିୟା ହେଉଛି ବର୍ତ୍ତମାନର ଆବଶ୍ୟକତା। ଉପରୋକ୍ତ ଆଇନଗତ ପରିବର୍ତ୍ତନଗୁଡିକର ସକାରାତ୍ମକ ପରିଣାମ ହାସଲ କରିବା ପାଇଁ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ସୃଷ୍ଟି କରିବା ଏବଂ ମାର୍କେଟିଂ ଭିତ୍ତିଭୂମିରେ ସାର୍ବଜନୀନ ନିବେଶ ବୃଦ୍ଧି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଯୋଜନାଗୁଡିକର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଆବଶ୍ୟକ ନୀତି-ନିୟମଗୁଡିକର ସମୟୋଚିତ ଅନବରତ ସମୀକ୍ଷା କରିବାକୁ ପଡିବ।
ବିଶ୍ୱାସ ହେଉଛି ଏକ ଅଦୃଶ୍ୟ ମୁଦ୍ରା, ଯାହାର ଅର୍ଥବ୍ୟବସ୍ଥାରେ ଉଭୟ ବ୍ୟବହାରିକ ଓ ବିନିମୟ ମୂଲ୍ୟ ରହିଛି। ଦୀର୍ଘମିଆଦୀ ଅଭିବୃଦ୍ଧି ଓ ସମାବେଶୀ ବିକାଶ ଆମର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ, ଆସ୍ଥାର ସ୍ତର ଉପରେ ନିର୍ଭର କରେ। ନଚେତ୍‌ ଏହି ଆଇନଗତ ପରିବର୍ତ୍ତନଗୁଡ଼ିକର ସମ୍ଭାବନାଗୁଡିକୁ ଅନୁଭବ କରିବା ପୂର୍ବରୁ ବିଫଳତାର ସ୍ବାଦଚାଖିବାକୁ ପଡିପାରେ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର, ମୋ:୯୪୩୭୧୬୪୬୧୧
Email: saktiprasadd@yahoo.in