ଶ୍ରେଣୀଗୃହ ଅଭାବ, ସ୍କୁଲ ବାରଣ୍ଡାରେ ଚାଲିଛି ପାଠପଢ଼ା

ଲଖନପୁର,୭ା୧୧(ଗୌତମ ସାହୁ)- ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରି କି ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରାଯାଉଛି। ନିକଟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଝାରସୁଗୁଡ଼ା ଶିକ୍ଷା ଜିଲା ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା। ଏଥିପାଇଁ ଜିଲା ଶିକ୍ଷା ବିଭାଗର ଅଧିକାରୀ, ଶିକ୍ଷୟିତ୍ରୀ, ଶିକ୍ଷକ, ଛାତ୍ରୀଛାତ୍ର, ଅଭିଭାବକ ଓ ଜନସାଧାରଣ ଖୁସିବ୍ୟକ୍ତ କରିଥିଲେ। ହେଲେ ଅନେକ ବିଦ୍ୟାଳୟରେ ଏବେ ମଧ୍ୟ ଅସୁବିଧା ରହିଛି। କେଉଁଠି ଶ୍ରେଣୀଗୃହ ଅଭାବରୁ ପାଠପଢାରେ ସମସ୍ୟା ହେଉଛି ତ ଆଉ କେଉଁ ବିଦ୍ୟାଳୟରେ ଆନୁସଙ୍ଗିକ ବ୍ୟବସ୍ଥା ସାଙ୍ଗକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଏହି କ୍ରମରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ପଞ୍ଚାୟତ ଅନ୍ତର୍ଗତ ଝାରଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ହେଲେ ସେମାନଙ୍କ ପାଇଁ ମୋଟ୍‌ ୪ଟି ଶ୍ରେଣୀଗୃହ ରହିଛି। ଏହି କୋଠରିରେ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ଅଫିସ, କମ୍ପ୍ୟୁଟର ଶିକ୍ଷା ଜାରି ରହିଛି। ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସମସ୍ୟା ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏମ୍‌ସିଏଲ୍‌ ସିଏସ୍‌ଆର ପାଣ୍ଠିରୁ ୫୩ ଲକ୍ଷ ୨୯ ହଜାର ଟଙ୍କା ଅତିରିକ୍ତ ୨ଟି ଶ୍ରେଣୀଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ପରବର୍ତ୍ତୀ ସମୟରେ ଟେଣ୍ଡର ମାଧ୍ୟମରେ ଠିକାଦାରଙ୍କୁ ୨୦୨୨-୨୩ରେ କାର୍ଯ୍ୟାଦେଶ ଦିଆଯାଇଥିଲା।

ହେଲେ ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଶ୍ରେଣୀଗୃହର ଛାତରୁ ପାଣି ଝରୁଥିବା ବେଳେ କାନ୍ଥଫାଟି ଯାଇଥିବା ଦେଖିବାକୁ ମିଳିଛି। ଏପରି କି ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଶ୍ରେଣଗୃହ ଅଭାବରୁ ଛାତ୍ରୀଛାତ୍ର ବାଧ୍ୟହୋଇ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି।

ତୁରନ୍ତ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହିସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଦୀପ ସାହୁ କହିଛନ୍ତି, ସମସ୍ୟା ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଲଖନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ସାହୁ କହିଛନ୍ତି, ପାଠପଢାରେ ବିଶେଷ ସମସ୍ୟା ହେଉନାହିଁ। ନୂତନ କୋଠା ନିର୍ମାଣ ସମ୍ପର୍କରେ ବିଡିଓ କହିପାରିବେ। ଅପରପକ୍ଷେ ବିଡିଓ ବିନୟ କୁମାର ପଟେଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।