ଆମେରିକାର ୩ ଯୁଦ୍ଧବିମାନକୁ ଖସାଇଲା କୁଏଟ୍‌ ଏୟାର ଡିଫେନ୍ସ

ଓ୍ବାଶିଂଟନ,୨ା୩: କୁଏଟ୍‌ର ଏୟାର ଡିଫେନ୍ସ ଦ୍ୱାରା ଅଲଗା ଅଲଗା ବନ୍ଧୁତ୍ୱପୂର୍ଣ୍ଣ ଫାୟାରିଂରେ ଆମେରିକାର ୩ଟି ଏଫ୍‌-୧୫ଇ ‘ଷ୍ଟ୍ରାଇକ୍‌ ଇଗଲ’ ଯୁଦ୍ଧବିମାନ ଖସିଛି। ଇରାନରେ ଆମେରିକା-ଇସ୍ରାଏଲ୍‌ ମିଳିତ ସାମରିକ ଅଭିଯାନର ନିର୍ଦ୍ଦେଶନା ଦେଉଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଏହା କୁହାଯାଇଛି। ତେବେ ଯୁଦ୍ଧବିମାନରେ ଥିବା ୬ ଜଣ ପାଇଲଟ୍‌ ସୁରକ୍ଷିତ ଅବତରଣ କରିଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। କୁଏଟ୍‌ ମଧ୍ୟ ଘଟଣାକୁ ସ୍ବୀକାର କରିଛି। ଆମେରିକା ଓ ଇସ୍ରାଏଲ୍‌ର ମିଳିତ ସାମରିକ ଅଭିଯାନ ଅପରେଶନ ଏପିକ୍‌ ଫୁରିରେ ସାମିଲ ଥିବା ୩ ଆମେରିକୀୟ ଯୁଦ୍ଧବିମାନ ରବିବାର ରାତି ୧୧ଟା ୩ ମିନିଟ୍‌ ସମୟରେ କୁଏଟ୍‌ ଉପରେ ଉଡ଼ୁଥିବାବେଳେ ଆପାତତଃ ବନ୍ଧୁତ୍ୱପୂର୍ଣ୍ଣ ଫାୟାରିଂରେ ଖସିପଡ଼ିଥିଲେ। ଆମେରିକାର କେତେକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହାର ସେଣ୍ଟ୍ରାଲ କମାଣ୍ଡ କହିଛି। ଗୋଟିଏ ଏଫ୍‌-୧୫ଇ ବିମାନ ଆକାଶରୁ ଖସୁଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। କିଛି ସେକେଣ୍ଡ ମଧ୍ୟରେ ସେଥିରୁ ପାଇଲଟ୍‌ ବାହାରି ଆସିଥିଲେ।

Dharitri –Odisha’s No.1 Trusted Odia Daily