Categories: Home Leftଖେଳ

ପୁଣି ଥରେ ବଦଳିଲେ ଶ୍ରୀଲଙ୍କା ଦଳର ଅଧିନାୟକ

କଲମ୍ବୋ,୧୨।୫: ଶ୍ରୀଲଙ୍କାର ଦିନିକିଆ ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଅଧିନାୟକ ଦିମୁଥ କରୁଣାରତ୍ନେ, ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଓ ଦୀନେଶ ଚଣ୍ଡିମାଲଙ୍କୁ ଦଳରେ ଯାଗା ମିଳିନାହିଁ। ଓପନର କୁସାଲ ପେରେରାଙ୍କୁ ମିଳିଛି ନେତୃତ୍ୱ ଦାୟିତ୍ୱ। ଗତ ୫ ବର୍ଷ ମଧ୍ୟରେ ସେ ୯ମ ଖେଳାଳି ଭାବେ ସମ୍ଭାଳିବାକୁ ଯାଉଛନ୍ତି ଅଧିନାୟକ ପଦ। ଏଥି ପୂର୍ବରୁ କରୁଣାରତ୍ନେଙ୍କ ସମେତ ଚଣ୍ଡିମାଲ, ମାଥ୍ୟୁସ, ଲାସିଥ ମଲିଙ୍ଗା, ଥିସାରା ପେରେରା, ଉପୁଲ ଥରଙ୍ଗା, ଲାହିରୁ ଥିରିମାନେ ଓ ଚାମାରା କାପୁଗେଦ୍ରା ଏହି ଦାୟିତ୍ୱ ସମ୍ଭାଳିବାରେ ବିଫଳ ହୋଇଥିଲେ।

ତେବେ କୁସାଲା କଦାପି କୌଣସି ଫର୍ମାଟରେ ଶ୍ରୀଲଙ୍କା ଦଳର ନେତୃତ୍ୱ ନେଇ ନାହାନ୍ତି। କିନ୍ତୁ ଜଣେ ବ୍ୟାଟ୍ସମ୍ୟାନ ଭାବେ ୨୦୧୯ଠାରୁ ସେ କ୍ରମାଗତ ପ୍ରଦର୍ଶନ କରି ଆସୁଛନ୍ତି। ଦିନିକିଆରେ ତାଙ୍କ ଆଭରେଜ ୪୩.୦୬ ଥିବାବେଳେ ଷ୍ଟ୍ରାଇକ୍‌ ରେଟ୍‌ ପାଖାପାଖି ୧୦୦ ରହିଛି। ୨୦୨୩ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଦଳରେ ସ୍ଥାନ ପାଇଥିବା ସବୁଠୁ ବୟସ୍କ ଖେଳାଳି ହେଲେ ଇସୁରୁ ଉଡାନା (୩୩)। ତାଙ୍କ ବ୍ୟତୀତ କେବଳ ୩ ଜଣ ଖେଳାଳିଙ୍କ ବୟସ ୩୦ ବର୍ଷରୁ ଊର୍ଦ୍ଧ୍ୱ।