Categories: Home Leftଖେଳ

ଚିଠିରେ ‘କ୍ରୁନାଲ ମୋତେ ଧମକ ଦେଇଛନ୍ତି’ ଲେଖି ଇଭେଣ୍ଟରୁ ଓହରିଲେ ହୁଡା

ମୁମ୍ବାଇ,୧୦।୧- ଦେଶର ଘରୋଇ କ୍ରିକେଟ ସିଜନ ଆରମ୍ଭ ହେବା ପୂର୍ବରୁ ବିବାଦରେ ଘେରି ହୋଇଯାଇଛି। ଅଲରାଉଣ୍ଡର ଦୀପକ ହୁଡା ରବିବାର ବରୋଦା କ୍ରିକେଟ ଆସୋସିଏଶନକୁ ଅଭିଯୋଗ ଭରା ପତ୍ର ଲେଖି ଆଗାମୀ ସୟଦ ମୁସ୍ତାକ ଅଲି ଟି୨୦ ଇଭେଣ୍ଟରୁ ଓହରି ଯାଇଛନ୍ତି। ଦଳୀୟ ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ପ୍ରାକ୍ଟିସ ସେସନରେ ସାଥି ଖେଳାଳିଙ୍କ ସାମ୍ନାରେ ଗାଳି କରିବା ସହ କ୍ୟାରିୟରର ଶେଷ କରି ଦେବାକୁ ଧମକ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ହୁଡା। ଏଥି ଯୋଗୁ ଘରୋଇ ସିଜନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ହୁଡ଼ା ଟି୨୦ ଇଭେଣ୍ଟରୁ ଓହରି ଯାଇଛନ୍ତି।

‘ମୁଁ ବରୋଦା ପାଇଁ ୧୧ ବର୍ଷ ହେଲା ଖେଳି ଆସୁଛି। ଏବେ ମଧ୍ୟ ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି ଲାଗି ଚୂଡ଼ାନ୍ତ ତାଲିକାରେ ମୋତେ ମିଳିଛି ସ୍ଥାନ। ହେଲେ ମୁଁ ବର୍ତ୍ତମାନ ବିଚଳିତ ଓ ଚାପର ବଶବର୍ତ୍ତି ଥିବା ଅନୁଭବ କରୁଛି। ଗତ କିଛି ଦିନ ହେଲା ଦଳର କ୍ୟାପଟେନ କ୍ରୁନାଲ ପାଣ୍ଡ୍ୟା ସାଥି ଖେଳାଳିଙ୍କ ଆଗରେ ମୋତେ ଖରାପ ଭାଷାରେ ଗାଳି କରୁଛନ୍ତି। ରବିବାର ମୁଁ ମୁଖ୍ୟ କୋଚ୍‌ ପ୍ରଭାକରଙ୍କ ଅନୁମତିରେ ଅଭ୍ୟାସ କରୁଥିଲି। ହେଲେ କ୍ରୁନାଲ ନେଟ୍ସରେ ପହଞ୍ଚତ୍ ମୋତେ ଖରାପ ବ୍ୟବହାର କରିଥିଲେ। ତାଙ୍କ ଯୋଗୁ ମୁଁ ଅଭ୍ୟାସ କରି ପାରି ନ ଥିଲି। ବରୋଦା ଦଳ ପକ୍ଷରୁ ମୁଁ କେମିତି ଖେଳିବି, ସେ ଦେଖିନେବେ ବୋଲି ଧମକ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ମୋ କ୍ୟାରିୟରରେ ଏଭଳି ପରିସ୍ଥିତି ଦେଖି ନାହିଁ। ମୁଁ ଆଇପିଏଲରେ ମଧ୍ୟ ଗତ ୭ ବର୍ଷ ହେଲା ଖେଳୁଛି। ଏ ପର୍ଯ୍ୟନ୍ତ ଖୁବ୍‌ ଭଲ ରହିଛି ମୋ ରେକର୍ଡ। ବର୍ତ୍ତମାନ ପରିସ୍ଥିତିରେ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବି ନାହିଁ’ ବୋଲି ବରୋଦା ପକ୍ଷରୁ ୪୬ ପ୍ରଥମ ଶ୍ରେଣୀ ଓ ୧୨୩ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ହୁଡା ଲେଖିଛନ୍ତି। ଉଲ୍ଲେଖଥାଉ କି, ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ।