ଡେବ୍ୟୁ ପୂର୍ବରୁ ଭାଇ ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର, ଆକାଶକୁ ଚାହିଁ…

ପୁଣେ,୨୩।୩: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ମଙ୍ଗଳବାର ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଖେଳ ଜାରି ରହିଛି। ଟେଷ୍ଟ ଏବଂ ଟି୨୦ ସିରିଜରେ ଇଂଲଣ୍ଡକୁ ହରାଇବା ପରେ ଏବେ ଦିନିକିଆରେ ମଧ୍ୟ ବାଜିମାତ କରିବା ଲକ୍ଷ୍ୟରେ ଭାରତୀୟ ଦଳ। ଏଭଳି ସ୍ଥିତିରେ ପ୍ରଥମ ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି କ୍ରୁଣାଳ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କ୍ରିଷ୍ଣା। ଉଭୟ ଖେଳାଳି ବିଜୟ ହଜାରେ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିନିକିଆ ଟିମ୍‌ରେ ତାଙ୍କୁ ଚୟନ କରାଯାଇଛି।
୨୦୧୮ରେ ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ କ୍ରୁଣାଳ। ଏଯାବତ ସେ ୧୮ ଟି୨୦ ମ୍ୟାଚ୍‌ ଖେଳିସାରିଥିବା ବେଳେ ଏବେ ଦିନିକିଆ ଖେଳିବାକୁ ସୁଯୋଗ ମିଳିଛି। ତାଙ୍କୁ ଡେବ୍ୟୁ କ୍ୟାପ୍‌(ଟୋପି) ଦିଆଯାଇଛି। ଏହି ସମୟରେ ସେ ସ୍ବର୍ଗତ ପିତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିବା ନଜର ଆସିଛି। ଭାଇ ହାର୍ଦ୍ଦିକଙ୍କ ହାତରୁ ଡେବ୍ୟୁ କ୍ୟାପ୍‌ ନେବା ପରେ ସେ ଆକାଶକୁ ଉଠାଇ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏପରିକି କ୍ରୁଣାଳ ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରି ଲୁହ ଲୁଚାଇଥିଲେ। ଏହାର ଏକ ଭିଡିଓ ବିସିସିଆଇ ତାର ଆଧିକାରିକ ଟୁଇଟର ପୃଷ୍ଠାରେ ଶେୟାର କରିଛି। ଏହା ଏବେ ବେଶ୍‌ ଭାଇରାଲ ହେଉଛି।