ପଟ୍ଟାଙ୍ଗି, ୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ରହିଥିବା ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟରେ ନିକଟସ୍ଥ ଗ୍ରାମର ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ଅଗ୍ରାଧିକାର ଦେବା ପାଇଁ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ କୋଟିଆ ସରପଞ୍ଚ ଲିଉ ଗେମେଲ ସାକ୍ଷାତ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ, ପଞ୍ଚାୟତରେ ରାଜ୍ୟ ସରକାର ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି ସତ, କିନ୍ତୁ ଉକ୍ତ ବିଦ୍ୟାଳୟରେ ବିଦ୍ୟାଳୟ ଠାରୁ ୫ କିଲୋମିଟର ଦୂରରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ରହି ପାଠପଢିବା ପାଇଁ ସରକାରୀସ୍ତରରେ ଗୁରୁତ୍ୱ ଦିଆ ଯାଉଥିବା ବେଳେ ବିଦ୍ୟାଳୟ ନିକଟବର୍ତ୍ତୀ ଯଥା ୦୫ କିଲୋମିଟର ଭିତରେ ରହୁଥିବା କିଛି ଗ୍ରାମ ଯଥା କୁରୁଡିପଦର, ଗଞ୍ଜେଇ ପଦର, କୋଟିଆ, ଜାନିଗୁଡା ଓ ଉପରସେମ୍ବି ପ୍ରମୁଖ ଗ୍ରାମର ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ରହି ପାଠ ପଢିବା ସୁବିଧା ନାହିଁ । ଯେଉଁଥିପାଇଁ ସରପଞ୍ଚ ଲିଉ ଗେମେଲ ଏହାକୁ ଗୁରୁତ୍ୱ ଦେଇ କୋରାପୁଟ ଗସ୍ତ କରି ଜିଲାପାଳ ମହାଜନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଉପରୋକ୍ତ ଗ୍ରାମର ଛାତ୍ରୀଛାତ୍ର କିପରି ହଷ୍ଟେଲରେ ରହି ପାଠ ପଢି ପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେପଟେ ଉକ୍ତ ବ୍ୟବସ୍ଥା ନେଇ ବ୍ଲକ କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିରେ କେହି ଗୁରୁତ୍ୱ ଦେଲେ ନାହାଁ। ସରକାର ଯଦି ପଞ୍ଚାୟତକୁ ଏତେ ଗୁରୁତ୍ୱ ଦେଉଛନ୍ତି ତାହେଲେ ଏହି କ୍ଷେତ୍ରରେ କାହିଁକି ଗୁରୁତ୍ୱ ଦେଉନାହାନ୍ତି ବୋଲି ପ୍ରଶ୍ନ ଊଠାଇ ଏହା ଉପରେ ଗୁରୁତ୍ୱ ରହିବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି। ସେହିପରି ଉକ୍ତ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ସାକ୍ଷାତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରିଛି ବୋଲି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ପଞ୍ଚାୟତର ବିବାଦୀୟ ଗ୍ରାମ ସହ ଅନ୍ୟ ଗ୍ରାମ ଗୁଡିକରେ ରହିଥିବା ଛାତ୍ରୀଛାତ୍ର କିପରି ସିବିଏସ୍ସି ଢାଞ୍ଚାରେ ପାଠପଢି ଲୋକଲୋଚନକୁ ଆସିବେ ସେହି ଉଦ୍ଦେଶ୍ୟରେ ପଞ୍ଚାୟତରେ ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲା ହେଲା । ତେବେ ବିଦ୍ୟାଳୟ ଖୋଲି ପ୍ରାୟ ୩ ବର୍ଷ ହୋଇ ଯାଇଥିବା ବେଳେ ହଷ୍ଟେଲ ସୁବିଧା ଛାତ୍ରୀମାନଙ୍କ ପାଇଁ ରହିଛି କିନ୍ତୁ ଛାତ୍ର ମାନଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ବର୍ତ୍ତମାନ ଯାଏ ହୋଇ ନ ଥିବା ବେଳେ ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।