ଜିଲାପାଳ ଗସ୍ତର ୫ ଦିନ ପରେ ପୁଣି ତେଜିଲା କୋଟିଆ ସୀମା ବିବାଦ

ପଟ୍ଟାଙ୍ଗି,୨୧।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଜିଲାପାଳ ଭି.ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ବିଭିନ୍ନ ସରକରୀ କାର୍ଯ୍ୟକ୍ରମର ତଦାରାଖ କରିଥିଲେ। ଗସ୍ତର ୫ ଦିନ ପରେ ପୁଣି କୋଟିଆ ସୀମା ବିବାଦ ଦେଖାଦେଇଛି। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ କୋଟିଆ ଅଞ୍ଚଳର ବିବାଦିତ ଗ୍ରାମଗୁଡ଼ିକର ସମସ୍ୟାର ସମାଧାନ ପାଇଁ ସୀମାନ୍ତବାସୀଙ୍କୁ ଏକାଠି କରି ପଡୋଶୀ ଆନ୍ଧ୍ରର ଆଦିବାସୀ ଗିରିଜନ ସଂଘ ପକ୍ଷରୁ ଶନିବାର ଏକ ପଦଯାତ୍ରା କରାଯାଇଛି।

ପଦଯାତ୍ରା ଉପର ଶେମ୍ବି ଗ୍ରାମରୁ ଆରମ୍ଭ ହୋଇ ଉପର କୋଟିଆ, ତଳ କୋଟିଆ, ମାଡାକାର, ବର୍ଣ୍ଣପାଡୁ, ପଗୁଣ ସିନେରି  ଓ ଫାଟ୍ଟୁସିନେରି ଭଳି ବିବାଦିତ ଗ୍ରାମରେ ପହଞ୍ଚିଛି। ଆଦିବାସୀ ସଂଘର ମଣ୍ଡଳ କାର୍ଯ୍ୟଦର୍ଶୀ ଗେମ୍ମେଲ ଜାନକିରାଓ କହିଛନ୍ତି ଯେ, ଦଶକ ଧରି ଏହି ସୀମା ବିବାଦ ଲାଗି ରହିଥିବାରୁ ଉଭୟ ରାଜ୍ୟର ଗିରିଜନମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଓଡ଼ିଶା ସରକାର ଅଞ୍ଚଳରେ ଗିରିଜନଙ୍କ ଜମି ଅଧିଗ୍ରହଣ କରିବାକୁ ଚେଷ୍ଟା କରୁଥିବା ବେଳେ, ଆନ୍ଧ୍ରପ୍ରଦେଶ ସରକାର ପ୍ରତିଷେଧାତ୍ମକ ପଦକ୍ଷେପ ନେଉ ନାହାଁନ୍ତି। ଏହି ଅବହେଳାକୁ ନେଇ ଗିରିଜନ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଅଞ୍ଚଳ ଏକ ସ୍କେଡୁଲ ଏରିଆ ହୋଇଥିବାରୁ ସ୍ଥାନୀୟ ଆଦିବାସୀଙ୍କୁ ସମସ୍ତ ଅଧିକାର ପ୍ରଦାନ କରାଯିବା ଉଚିତ। ମାତ୍ର ଓଡ଼ିଶା ସରକାର ଏହାକୁ ଅଣଦେଖା କରି ଗିରିଜନଙ୍କ ଜମି ଦଖଲ କରିବାର ଚେଷ୍ଟା କରୁଛନ୍ତି ବୋଲି ଆଦିବାସୀ ନେତାମାନେ ଅଭିଯୋଗ କରିଛନ୍ତି।

ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନାର ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି। ପ୍ରଜା ସଂଘର ନେତା ଏନ୍‌.ବାଇ. ନାୟୁଡୁ, କୋରାଡ଼ା ଈଶ୍ୱର ରାଓ ଓ ମର୍ରି ଶ୍ରୀନିବାସ ରାଓ ଆଦି ପଦଯାତ୍ରାରେ ଯୋଗଦେଇ ସୀମା ବିବାଦର ତୁରନ୍ତ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଆଦିବାସୀ ନେତାମାନେ କହିଛନ୍ତି ଯେ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ବିବାଦ ପ୍ରତି ନିଷ୍ପତ୍ତିହୀନତା ପ୍ରଦର୍ଶନ କରିଛନ୍ତି। ଗିରିଜନଙ୍କୁ କେବଳ ରାଜନୈତିକ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି। ଅଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ସେମାନେ କହିଛନ୍ତି ।

ପଦଯାତ୍ରାରେ ଆଦିବାସୀ ଗିରିଜନ ସଂଘର ମଣ୍ଡଳ କମିଟି ନେତା ତାଡ଼ଙ୍ଗି ସନ୍ନମୁ, କୋମ୍ମୁଲୁ ବୀମା, ରଞ୍ଜିତ ସୀତୟ୍ୟ ଆଦି ଅନେକ ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନେ ସରକାରଙ୍କୁ ଚେତାବନୀ ଦେଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି କହିଛନ୍ତି। ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି।