Varun Chakaravarthy of Kolkata Knight Riders celebrates the wicket of Axar Patel of Delhi Capitals during match 42 of season 13 of the Dream 11 Indian Premier League (IPL) between the Kolkata Knight Riders and the Delhi Capitals at the Sheikh Zayed Stadium, Abu Dhabi in the United Arab Emirates on the 24th October 2020. Photo by: Pankaj Nangia / Sportzpics for BCCI
ଆବୁଧାବି,୨୫।୧୦(ପି.ଟି.): ନୀତୀଶ ରାଣା ଓ ସୁନୀଲ ନାରିନଙ୍କ ଦମ୍ଦାର ବ୍ୟାଟିଂ ଓ ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ଇନ୍ଫର୍ମ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବୃହତ୍ ବିଜୟ ହାସଲ କରିଛି। ଶନିବାର ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୪୨ତମ ମ୍ୟାଚ୍ରେ କୋଲକାତା ୫୯ ରନରେ ଦିଲ୍ଲୀକୁ ହରାଇଛି। ଏଥିସହ କୋଲକାତା ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳି ୬ ବିଜୟ, ୫ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନ ବଜାୟ ରଖିଛି। ଅନ୍ୟପଟେ ଦିଲ୍ଲୀ ପରାସ୍ତ ହୋଇଥିଲେ ମଧ୍ୟ ୧୧ ମ୍ୟାଚ୍ ଖେଳି ୭ ବିଜୟ, ୪ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛି। ଟସ୍ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା କୋଲକାତା ୬ ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ୯ ଉଇକେଟ ହରାଇ ୧୩୫ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ମାତ୍ର ୨୦ ରନ ବ୍ୟୟ କରି ମୂଲ୍ୟବାନ ୫ ଉଇକେଟ ହାସଲ କରିଥିବା କୋଲକାତା ବୋଲର ବରୁଣ ଚକ୍ରବର୍ତ୍ତୀ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୧୯୫ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ମାତ୍ର ୧୩ ରନରେ ଦୁଇ ଅଭିଜ୍ଞ ଓପନରଙ୍କୁ ହରାଇଥିଲା। ଇନ୍ଫର୍ମ ଶିଖର ଧାଓ୍ବନ ୬ ଓ ଅଜିଙ୍କ୍ୟ ରାହାନେ ୬ ରନ ରନ କରି ପ୍ୟାଟ୍ କୁମିନ୍ସଙ୍କ ଦ୍ୱାରା ଆଉଟ ହୋଇଥିଲେ। ତୃତୀୟ ଉଇକେଟରେ ଅଧିନାୟକ ଶ୍ରେୟାସ ଆୟାର (୪୭ ରନ, ୩୮ ବଲ, ୫ ଚୌକା) ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ (୨୭ ରନ, ୩୩ ବଲ, ୨ ଚୌକା, ୧ ଛକା) ୫୫ ବଲରୁ ୬୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଦୁହେଁ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ସିମରନ ହେଟ୍ମେୟର ୧୦ ରନ କରି ଆଉଟ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୩ ବଲରୁ ୨ ଚୌକା ସହ ୧୪ ରନ କରି ଅପରାଜିତ ରହିଥିଲେ। ବାକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଦିଲ୍ଲୀ ବ୍ୟାଟ୍ସମ୍ୟାନ ଚକ୍ରବର୍ତ୍ତୀଙ୍କ ବଲ୍ର ସାମ୍ନା କରିପାରି ନ ଥିଲେ। ବୋଲିଂରେ ଚକ୍ରବର୍ତ୍ତୀ ୫ ଉଇକେଟ ହାସଲ କରିଥିବା ବେଳେ ପ୍ୟାଟ୍ କୁମିନ୍ସ ୩ ଓ ଲୋକି ଫର୍ଗୁସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଓପନର ଶୁବମନ ଗିଲ୍ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍କା ଖାଇଥିଲା। ୯ ରନ କରି ଗିଲ୍ ଅନରିଚ୍ ନୋର୍ଜଙ୍କ ଦ୍ୱରା ଆଉଟ ହୋଇଥିଲେ। ଏହାପରେ ରାହୁଲ ତ୍ରିପାଠୀ ୧୩, ଦୀନେଶ କାର୍ତ୍ତିକ ୩ ରନ କରି ଯଥାକ୍ରମେ ନୋର୍ଜ ଓ କାଗିସୋ ରାବାଡ଼ାଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଇଅନ ମୋର୍ଗାନ ୧୭ ରନ କରି ମାର୍କୁସ ଷ୍ଟୋଇନିସ୍ଙ୍କ ଶିକାର ହୋଇଥିଲେ। ତେବେ ଓପନିଂ କରିବାକୁ ଆସିଥିବା ନୀତୀଶ ରାଣା ନିଜର ଦମ୍ ଦେଖାଇଥିଲେ। ସେ ୫୩ ବଲରୁ ୧୩ ଚୌକା ଓ ୧ ଛକା ସହ ୮୧ ରନର ଦ୍ରୁତ ପାଳି ଖେଳିଥିଲେ। ତାଙ୍କୁ ସହଯୋଗ କରିଥିଲେ ନାରିନ। ନାରିନ ମାତ୍ର ୩୨ ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୪ ଛକା ସହ ୬୪ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଚତୁର୍ଥ ଉଇକେଟରେ ରାଣା ଓ ନାରିନ୍ ୫୬ ବଲରୁ ୧୧୫ ରନକରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ବୋଲିଂରେ ଦିଲ୍ଲୀ ପକ୍ଷରୁ ନୋର୍ଜ, ରାବାଡ଼ା ଓ ଷ୍ଟୋଇନିସ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୯୪/୬
(ରାଣା- ୮୧, ନାରିନ- ୬୪, ନୋର୍ଜ- ୨/୨୭, ରାବାଡ଼ା- ୨/୩୩, ଷ୍ଟୋଇନିସ- ୨/୪୧)।
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୩୫/୯
(ଆୟାର- ୪୭, ପନ୍ତ- ୨୭, ଚକ୍ରବର୍ତ୍ତୀ- ୫/୨୦, କୁମିନ୍ସ- ୩/୧୭, ଫର୍ଗୁସନ- ୧/୩୦)।