କୋଲକାତା,୨୯।୧୦: କୋଲକାତାର ଏକ ପାଞ୍ଚ-ତାରକା ହୋଟେଲରେ ଜଣେ ମହିଳାଙ୍କୁ ଏକାଧିକ ପୁରୁଷ ଯୌନ ନିର୍ଯାତନା ଦେବା ସହ କାଚ ବୋତଲରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ବିଧାନନଗରସ୍ଥିତ ହୟାତ୍ ରେଜେନ୍ସି ହୋଟେଲ ଭିତରେ ଥିବା ପ୍ଲେ ବୟ କ୍ଲବ୍ରେ ରବିବାର ଭୋର୍ ପ୍ରାୟ ୪.୧୫ ସମୟରେ ଘଟିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ମଧ୍ୟରେ ୨୦୧୨ ପାର୍କ ଷ୍ଟ୍ରୀଟ୍ ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାସିର ଖାନ୍ ଏବଂ ତାଙ୍କ ଭଣଜା ଜୁନେଦ ଖାନ୍ ପ୍ରମୁଖ ଅଛନ୍ତି। ନାସିର ଖାନ୍ ‘ସୁ-ଆଚରଣ’ ଆଧାରରେ ତାଙ୍କ ୧୦ ବର୍ଷର ଜେଲ୍ ଦଣ୍ଡ ଶେଷ ହେବାର ଏକ ବର୍ଷ ପୂର୍ବରୁ ୨୦୨୦ରେ ଜେଲରୁ ମୁକୁଳିଥିଲେ।
ଅଭିଯୋଗକାରିଣୀ ତାଙ୍କ ସ୍ୱାମୀ ଓ ସାଙ୍ଗମାନଙ୍କ ସହ କ୍ଲବରେ ବସିଥିବା ବେଳେ ଅଭିଯୁକ୍ତମାନେ ଆସି ଯୁକ୍ତିତର୍କ ଆରମ୍ଭ କରିଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ନାସିର ଓ ଜୁନେଦ ଏବଂ ସେମାନଙ୍କ ସାଙ୍ଗମାନେ ତାଙ୍କ ଉପରକୁ ଆକ୍ରମଣ କରିବା ସହ ଅନୁଚିତ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ। ତାଙ୍କ ଭାଇ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କଲାବେଳେ ସେମାନେ କାଚ ବୋତଲ ଫିଙ୍ଗିଥିଲେ।
ସେ ହୋଟେଲରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜୁନେଦ ଖାନ୍ ପ୍ରାୟ ୨୦ ଜଣ ଯୁବକଙ୍କୁ ଡାକି ଆକ୍ରମଣ କରିଥିଲେ ଏବଂ ତାଙ୍କ ପ୍ରାଇଭେଟ ପାର୍ଟକୁ ଖରାପ ଉପାୟରେ ଛୁଇଁଥିଲେ।
ଏହି ଘଟଣାରେ ବିଧାନନଗର ସାଉଥ୍ ଥାନାରେ ନାସିର ଖାନ୍ ଓ ଜୁନେଦ ଖାନ୍ଙ୍କ ନାମରେ ‘ସ୍ୱେଚ୍ଛାକୃତ ଭାବେ ଆଘାତ କରିବା’, ‘ଅପରାଧିକ ବଳ ପ୍ରୟୋଗ’ ଏବଂ ‘ଆକ୍ରମଣ’ ଭଳି ଦଫାରେ ମାମଲା ରୁଜୁ କରାଯାଇଛି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଫୋନ୍ରେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ପୋଲିସ୍ କ୍ଲବରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଘଟଣାର ତଦନ୍ତ କରୁଛି।