ପରେଶ ରାଓ୍ବଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କଲା ପୋଲିସ

କୋଲକାତା,୬।୧୨: ବଙ୍ଗାଳିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଭାଜପା ନେତା ତଥା ବଲିଉଡ୍‌ ଅଭିନେତା ପରେଶ ରାଓ୍ବଲ। ତାଙ୍କର ବିବାଦୀୟ ବୟାନକୁ ନେଇ କୋଲକାତା ପୋଲିସ ମଙ୍ଗଳବାର ପରେଶ ରାୱଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଆଇପିସି ଧାରା ୧୫୩, ୧୫୩-ଏ, ୧୫୩ ବି, ୫୦୪ ଓ ୫୦୫ ଅଧୀନରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ସିପିଆଇ(ଏମ୍‌) ରାଜ୍ୟ ସଚିବ ଏମ୍‌ଡି ସଲିମ ପରେଶଙ୍କ ‘ବଙ୍ଗଳା ବିରୋଧୀ’ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ। ସଲିମ ଅଭିଯୋଗ କରିଛନ୍ତି ଯେ, ପରେଶ ରାୱଲଙ୍କ ମନ୍ତବ୍ୟ ଉତ୍ତେଜିତ ଓ ଦଙ୍ଗା ସୃଷ୍ଟି କରିପାରେ। ଏଥିସହ ବଙ୍ଗାଳି ତଥା ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ସମନ୍ବୟକୁ ନଷ୍ଟ କରିପାରେ ବୋଲି ସେ ଅଭିଯୋଗ କରିଛନ୍ତି।