Hardik Pandya of Mumbai Indians and Rohit Sharma captain of Mumbai Indians during match 5 of season 13 of the Dream 11 Indian Premier League (IPL) between the Kolkata Knight Riders and the Mumbai Indians held at the Sheikh Zayed Stadium, Abu Dhabi in the United Arab Emirates on the 23rd September 2020. Photo by: Vipin Pawar / Sportzpics for BCCI
ଆବୁଧାବି, ୨୪।୯- ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ବୁଧବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୪୯ ରନରେ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୬ ରନ ବିଜୟ ଲକ୍ଷ୍ୟର ପିଛା କରି କୋଲକାତା ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୪୬ ରନ କରି ପାରିଥିଲା। ଚଳିତ ଆଇପିଏଲରେ କୋଲକାତାର ନିଜ ପ୍ରଥମ ମ୍ୟାଚରେ ପରାଜୟ ସ୍ବାଦ ଚାଖିଥିବାବେଳେ ମୁମ୍ବାଇର ୨ ମ୍ୟାଚରୁ ପ୍ରଥମ ବିଜୟ। ପ୍ରଥମ ମ୍ୟାଚରେ ମୁମ୍ବାଇ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା।
ବଡ଼ ସ୍କୋରର ପିଛା କରି କୋଲକାତା ୨୫ ରନ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମଖୀନ ହୋଇଥିଲା। ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ୧୧ ବଲ୍ରୁ ୭ ଓ ଅଭିଜ୍ଞ ସୁନୀଲ ନାରିନ ୧୦ ବଲରୁ ୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ ଓ ନୀତୀଶ ରାଣା ଇନିଂସ ଗଢ଼ିବାକୁ ଉଦ୍ୟମ କରିଥିଲେ। ୩ୟ ଉଇକେଟରେ ୪୬ ରନ ଯୋଗ ହେବାପରେ କାର୍ତ୍ତିକ ୩୦(୨୩ ବଲ, ୫ ଚୌକା) ଏବଂ ଆଉ ୬ ରନ ପରେ ନୀତୀଶ ୨୪(୧୮ ବଲ, ୨ ଚୌକା, ୧ ଛକା) ରନ କରିଥିବାବେଳେ ଆଉଟ ହୋଇଥିଲେ। ଫଳରେ ଦୁଇ ଅଭିଜ୍ଞ ବିଦେଶୀ ଖେଳାଳି ଇଅନ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ଉପରେ ଚାପ ପଡ଼ିଥିଲା। ୧୬ତମ ଓଭରର ପ୍ରଥମ ବଲ୍ରେ ରସେଲ ଆଉଟ ହେବା ସହ କୋଲକାତାର ବିଜୟ ସମ୍ଭାବନା ମଉଳି ଯାଇଥିଲା। ରସେଲ ୧୧ ବଲ୍ରୁ ମାତ୍ର ୧୧(୨ ଚୌକା) ରନ କରି ପାରିଥିଲେ। ମୋର୍ଗାନ ମଧ୍ୟ ଚାପକୁ ହାତେଇ ନ ପାରି ମାତ୍ର ୧୬ (୨୦ ବଲ, ୧ ଚୌକା, ୧ ଛକା) ରନରେ ପ୍ୟାଭିଲିୟନ ଫେରିଥିଲେ। ଟି୨୦ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍ରା ଏହି ୨ଟି ଉଇକେଟ ନେଇ ମୁମ୍ବାଇର ବିଜୟ ନିଶ୍ଚିତ କରି ଦେଇଥିଲେ। ଶେଷ ଭାଗରେ ପ୍ୟାଟ୍ କୁମିନ୍ସ କେତେକ ଦର୍ଶନୀୟ ଶଟ୍ ଖେଳିଥିଲେ ହେଁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ସେ ୧୨ ବଲ୍ରୁ ୩୩(୧ ଚୌକା, ୪ ଛକା) ରନ କରିବାରୁ କୋଲକାତା ସ୍କୋର ୨୦ ଓଭରରେ ୧୪୯/୯ରେ ପହଞ୍ଚତ୍ ପାରିଥିଲା। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା, ଜେମ୍ସ ପ୍ୟାଟିନସନ ଓ ରାହୁଲ ଚହର ୨ଟି ଲେଖାଏ ଏବଂ କିରନ ପୋଲାର୍ଡ ଗୋଟିଏ ଉଇକେଟ ନେଇଥିଲେ।
ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଲକାତା। ମୁମ୍ବାଇ ମାତ୍ର ୮ ରନରେ ଓପନର କ୍ୱିଣ୍ଟନ ଡିକକ୍ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ସହାୟତାରେ ବିସ୍ଫୋରକ ଆରମ୍ଭ କରିଥିଲା। ଦ୍ୱିତୀୟ ଉଇକେଟ ଭାଗୀଦାରିରେ ଦୁହେଁ ୫୭ ବଲ୍ରୁ ଦ୍ରୁତ ୯୦ ରନ ସଂଗ୍ରହ କରି ଦଳ ପାଇଁ ବଡ଼ ସ୍କୋରର ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ୨୮ଟି ବଲ୍ ଖେଳିଥିବା ସୂର୍ଯ୍ୟକୁମାର ୬ ଚୌକା ଓ ୧ ଛକା ସହାୟତାରେ ୪୭ ରନ କରିଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ସୌରଭ ତିଓ୍ବାରୀ ଗୋଟିଏ ଲେଖାଏ ଛକା ଓ ଚୌକା ସହାୟତାରେ ୧୩ ବଲ୍ରୁ ୨୧ ରନ କରିଥିବାବେଳେ ବଡ଼ ଶଟ୍ ମାରିବା ଚକ୍କରରେ ଆଉଟ ହୋଇଥିଲେ। ଫଳରେ ୧୫.୧ ଓଭର ବେଳକୁ ସ୍କୋର ୧୪୭/୩ ହୋଇ ଯାଇଥିଲା। ରୋହିତ ଦ୍ରୁତ ହାରରେ ରନ ସଂଗ୍ରହ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ସେ ୫୪ ବଲ୍ରୁ ୮୦(୩ ଚୌକା, ୬ ଛକା) ରନ କରିଥିବାବେଳେ ଶିବମ୍ ମାଭିଙ୍କ ଏକ ଓ୍ବାଇଡ୍ ଫୁଲଟସ୍କୁ ଛକାରେ ପରିଣତ କରିବା ଚକ୍କରରେ ଲଙ୍ଗଅନ୍ରେ ପ୍ୟାଟ୍ କୁମିନ୍ସଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଅନ୍ଦ୍ରେ ରସେଲଙ୍କ ଏକ ୟର୍କରକୁ ଖେଳିବାକୁ ଯାଇ ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍ ଉଇକେଟ ହୋଇଥିଲେ। ସେ ୧୩ ବଲ୍ରୁ ୧୮(୨ ଚୌକା, ୧ ଛକା) କରିବାକୁ ସକ୍ଷମ ହୋଇଥିଲେ। ମୁମ୍ବାଇ ପକ୍ଷରୁ ୧୫୦ତମ ଆଇପିଏଲ ମ୍ୟାଚ ଖେଳୁଥିବା କିରନ ପୋଲାର୍ଡ ୭ ବଲ୍ରେ ୧ ଚୌକା ସହ ୧୩ ରନରେ ଅପରାଜିତ ରହିଥିବାବେଳେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୯୫ ରନ କରିଥିଲା। କୋଲକାତା ବୋଲରଙ୍କ ମଧ୍ୟରେ ଶିବମ ମାଭି ୨ଟି ଏବଂ ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୫/୫(ରୋହିତ-୮୦, ସୂର୍ଯ୍ୟକୁମାର-୪୭, ତିଓ୍ବାରୀ-୨୧, ଶିବମ୍ ମାଭି-୨/୩୨, ସୁନୀଲ ନାରିନ-୧/୨୨, ଆନ୍ଦ୍ରେ ରସେଲ-୧/୧୭)।
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୪୬/୯ (କାର୍ତ୍ତିକ- ୩୦, ରାଣା- ୨୪, ରସେଲ- ୧୧, ମୋର୍ଗାନ- ୧୬ , କୁମିନ୍ସ- ୩୩, ବୁମ୍ରା- ୨/୩୨, ବୋଲ୍ଟ- ୨/୩୦, ପାଟିନସନ- ୨/୨୫ , ରାହୁଲ ଚହର- ୨/୨୬ , ପୋଲାର୍ଡ- ୧/୨୧)।