ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା। ସେ ଗତକାଲି ନିଜର ୫୦ତମ ଦିନିକିଆ ଶତକ ହାସଲ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେ।
ବିରାଟ କୋହଲିଙ୍କ ଏହି ସଫଳତା ଦେଖି ସାରା ବିଶ୍ୱରୁ କ୍ରିକେଟରମାନେ ତାଙ୍କୁ ପ୍ରଶଂସା କରୁଛନ୍ତି୧ ଏପରିକି ପାକିସ୍ତାନର ଅନେକ କ୍ରିକେଟର ବିରାଟ କୋହଲିଙ୍କୁ ବହୁତ ପ୍ରଶଂସା କରିଛନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକର ୟୁନିସ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ସେ ଚାମ୍ପିୟନରୁ ଚାମ୍ପିୟନ୍ ହୋଇଛନ୍ତି। ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଆପଣଙ୍କ ଦେଶ ଆପଣଙ୍କ ପାଇଁ ଗର୍ବିତ।
ଏହା ବ୍ୟତୀତ ପାକିସ୍ତାନର ମହାନ ପୂର୍ବତନ ସ୍ବିଙ୍ଗ ବୋଲର ତଥା ଅଧିନାୟକ ୱାସିମ ଆକ୍ରମ ଲେଖିଛନ୍ତି, ଆମେ ବିରାଟ କୋହଲିଙ୍କ ଯୁଗରେ ବାସ କରୁଛୁ। ସମ୍ରାଟ ଅଭିନନ୍ଦନ। ଏମାନଙ୍କ ବ୍ୟତୀତ ଶୋଏବ ଅଖତର ବିରାଟ କୋହଲିଙ୍କୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପ୍ରଶଂସା କରି କହିଛନ୍ତି ଯେ ତାଙ୍କ ରେକର୍ଡ ଅବିଶ୍ୱସନୀୟ।
ପାକିସ୍ତାନର ଅନ୍ୟ ପୂର୍ବତନ ଅଧିନାୟକ ଶୋଏବ ମଲିକ ଲେଖିଛନ୍ତି, ବିରାଟ କୋହଲିଙ୍କ ଏହା ଏକ ବଡ଼ ରେକର୍ଡ ଏବଂ ଏହା ହାସଲ କରିବା ପାଇଁ ବିଶ୍ୱକପ ସେମିଫାଇନାଲଠାରୁ ଭଲ ସୁଯୋଗ ଆଉ କିଛି ହୋଇପାରିବ ନାହିଁ।