Categories: Home Leftଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ କୋହଲି ଅପରିବର୍ତ୍ତିତ

ଦୁବାଇ,୨୯।୭(ପି.ଟି.): ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ବୋଲିଂ ତାଲିକାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ୭ଟି ସ୍ଥାନ ଉପରକୁ ଉଠିଛନ୍ତି। ତୃତୀୟ ଟେଷ୍ଟକୁ ୨୬୯ରେ ଜିତିବା ସହ ଇଂଲଣ୍ଡ ଏହି ସିରିଜକୁ ୨-୧ ବ୍ୟବଧାନରେ ହାତେଇ ନେଇଛି। ମ୍ୟାଚ୍‌ରେ ମୋଟ ୧୦ ଉଇକେଟ ଅକ୍ତିଆର କରି ସେ ୫୦୦ ଟେଷ୍ଟ ଉଇକେଟ ହାସଲ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ୨୦୧୬ ପରେ ପ୍ରଥମଥର ପାଇଁ ସେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସେତେବେଳେ ମଧ୍ୟ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୩୪ ବର୍ଷୀୟ ବ୍ରଡ ବ୍ୟାଟିଂ ତାଲିକାରେ ମଧ୍ୟ ୭ଟି ସ୍ଥାନ ଉପରକୁ ଉଠିଛନ୍ତି। ପ୍ରଥମ ଇନିଂସରେ ୪୫ ବଲରୁ ୬୨ ରନ ସଂଗ୍ରହ କରି ସେ ଇଂଲଣ୍ଡକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ସେହିପରି ଅଲରାଉଣ୍ଡର ତାଲିକାରେ ୩ଟି ସ୍ଥାନ ଉପରକୁ ଉଠି ସେ ୧୧ତମ ସ୍ଥାନ ଅଧିକାର କରିଛନ୍ତି।
ଅପରପକ୍ଷରେ କୋଭିଡ୍‌-୧୯ ମହାମାରୀ କାରଣରୁ ଟେଷ୍ଟ ଖେଳି ନ ଥିବା ଭାରତୀୟ କ୍ରିକେଟମାନେ ମଧ୍ୟ ଟପ୍‌-୧୦ରେ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାରେ ପୂର୍ବପର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ପୂର୍ବପରି ଶୀର୍ଷ ସ୍ଥାନରେ ରହିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଯଥାକ୍ରମେ ସପ୍ତମ ଓ ନବମ ସ୍ଥାନ ଅଧିକାର କରିଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ଯଥାକ୍ରମେ ତୃତୀୟ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ବୋଲିଂ ତାଲିକାରେ ବ୍ରଡଙ୍କ ଉନ୍ନତି ଯୋଗୁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଗୋଟିଏ ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ରହିଛନ୍ତି।