ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି ଫିଲ୍ମକୁ ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। କ୍ରିକେଟର ବିରାଟ କୋହଲିଙ୍କ ହୃଦୟରେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ପାଇଛି ଏହି ଫିଲ୍ମ। କୋହଲି ସୋସିଆଲ ମିଡିଆରେ ଫିଲ୍ମର ପ୍ରଶଂସା କରି ଏକ ପୋଷ୍ଟ ଶେୟାର କରିଛନ୍ତି।
ଧୁରନ୍ଧର ୨ ଦେଖି କୋହଲି କହିଛନ୍ତି, ମୁଁ ଆଜି ଏମିତି ଫିଲ୍ମ ଦେଖିଛି, ସତରେ କହିପାରିବି ଯେ ପ୍ରଥମ ଥର ପାଇଁ ମୁଁ ଭାରତରେ ଏପରି ସିନେମାଟିକ୍ ଦୃଶ୍ୟ ଅନୁଭବ କରିଛି। ଏହା ପ୍ରତ୍ୟେକ ଭାବନାକୁ ଜାଗ୍ରତ କରିଥିଲା ଏବଂ ପ୍ରାୟ ଚାରି ଘଣ୍ଟା ପାଇଁ, ମୁଁ ମୋ ଆସନରୁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ହଲି ନ ଥିଲି।
ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବିଷୟରେ କୋହଲି ଲେଖିଛନ୍ତି, ତୁମର ପ୍ରତିଭା, ତୁମେ ଯାହା ସୃଷ୍ଟି କରିଛ ଫିଲ୍ମରେ ସ୍ପଷ୍ଟ ଭାବରେ ଝଲସୁଛି। ତୁମକୁ ସଲାମ। କୋହଲି ରଣବୀର ସିଂହଙ୍କ ପ୍ରଶଂସା କରି କହିଛନ୍ତି, ସମସ୍ତ ଅଭିନେତା ନିଜ ନିଜ ଭୂମିକାରେ ଭଲ ପ୍ରଦର୍ଶନ କରିଛନ୍ତି, କିନ୍ତୁ ରଣବୀର – ଏହି ଫିଲ୍ମ ସହିତ ଏକ ସମ୍ପୂର୍ଣ୍ଣ ନୂତନ ସ୍ତରକୁ ପହଞ୍ଚିଛନ୍ତି। ତାଙ୍କ ଅଭିନୟ ପ୍ରକୃତରେ ଚମତ୍କାର।
ବିରାଟଙ୍କ ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ଧୁରନ୍ଧର ୨ ଦେଖି ତାଙ୍କର ପ୍ରତିକ୍ରିୟା ଶେୟାର କରିଛନ୍ତି। ସେ ମଧ୍ୟ ଫିଲ୍ମଟିର ମଜା ଉଠାଇଛନ୍ତି। ସେ ରଣବୀର, ଆଦିତ୍ୟ ଧର, ରାକେଶ ବେଦୀ ଏବଂ ଆର. ମାଧବନଙ୍କ ଭଳି ଷ୍ଟାରମାନଙ୍କୁ ସେମାନଙ୍କ ଅଭିନୟ ପାଇଁ ପ୍ରଶଂସା କରିଛନ୍ତି। ଏହା ସହିତ, ସେ ଫିଲ୍ମଟି ହାସଲ କରିଥିବା ସଫଳତା ପାଇଁ ସମଗ୍ର କଳାକାର ଏବଂ କ୍ରୁକୁ ଅଭିନନ୍ଦନ ଜଣାଇଛନ୍ତି।
ଧୁରନ୍ଧର ୨ ମାର୍ଚ୍ଚ ୧୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ଏବଂ ସେବେଠାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି। ମାତ୍ର ୧୮ ଦିନରେ ଏହା ବିଶ୍ୱବ୍ୟାପୀ ୧,୬୦୦ କୋଟିରୁ ଅଧିକ ଆୟ କରିଛି। ଏହି ଫିଲ୍ମଟି ସର୍ବକାଳୀନ ଚତୁର୍ଥ ସର୍ବାଧିକ ଆୟକାରୀ ଭାରତୀୟ ଫିଲ୍ମ ହେବାର ରେକର୍ଡ ମଧ୍ୟ ହାସଲ କରିଛି।