କିଙ୍ଗ୍‌ କୋହଲିଙ୍କ ବଡ଼ ଉପଲବ୍ଧି, ସଚିନ-ଦ୍ରାବିଡ଼-ଗାଙ୍ଗୁଲିଙ୍କ ପରି…

ନୂଆଦିଲ୍ଲୀ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍‌ ଷ୍ଟେଜ୍‌ ମୁକାବିଲାରେ ମଇଦାନକୁ ଓହ୍ଲାଇ ଇତିହାସ ରଚିଛନ୍ତି ବିରାଟ କୋହଲି। ସେ ଦିନିକିଆରେ ୩୦୦ ମ୍ୟାଚ୍‌ ଖେଳିଥିବା ଖେଳାଳି ପାଲଟିଛନ୍ତି। ଏହି ମାମଲାରେ ସେ ୭ମ ଭାରତୀୟ। ତାଙ୍କ ପୂର୍ବରୁ ୬ ଭାରତୀୟ ଖେଳାଳି ୩୦୦ ଅଥବା ଅଧିକ ଦିନିକିଆ ଖେଳିବାର ରେକର୍ଡ କରିଛନ୍ତି।

କୋହଲି ୩୦୦ ODI ମ୍ୟାଚ୍‌ର ୨୮୮ ଇନିଂସରେ ୧୪,୦୮୫ ରନ କରିଛନ୍ତି। ବିରାଟ କୋହଲି ଏହି ଫର୍ମାଟରେ ସର୍ବାଧିକ ଶତକ (୫୧) ମାରିଥିବା ବ୍ୟାଟ୍ସମ୍ୟାନ। ସେ ୭୩ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ତାଙ୍କର ହାରାହାରି ରନରେଟ୍‌ ୫୮.୨ ରହିଛି। ଟିମ ଇଣ୍ଡିଆର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ODIରେ ୧୩୧୮ ଚୌକା ଏବଂ ୧୫୨ ଛକା ମାରିଛନ୍ତି।

ସଚିନ ତେନ୍ଦୁଲକରଙ୍କ ନାମରେ ଏକଦିବସୀୟ କ୍ରିକେଟରେ ସର୍ବାଧିକ ରନ (୧୮୪୨୬) ରେକର୍ଡ ଅଛି। ଏହା ପରେ ପୂର୍ବତନ ଶ୍ରୀଲଙ୍କା ଉଇକେଟକିପର ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରାଙ୍କ ନାମ ଆସୁଛି। ଯିଏ ୪୦୪ ମ୍ୟାଚ୍‌ରେ ୨୫ ଶତକ ମାଧ୍ୟମରେ ୧୪୨୩୪ ରନ କରିଥିଲେ। କୋହଲି ୧୪୦୮୫ ରନ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ବିରାଟଙ୍କୁ ସାଙ୍ଗକାରାଙ୍କ ରେକର୍ଡ ଭାଙ୍ଗିବା ପାଇଁ ୧୪୯ ରନ ଆବଶ୍ୟକ।

ସଚିନ ତେନ୍ଦୁଲକର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସର୍ବାଧିକ ଦିନିକିଆ ଖେଳିଥିବା ଖେଳାଳି। ସେ ୪୬୩ଟି ଦିନିକିଆ ମ୍ୟାଚ୍‌ ଖେଳି ୧୮,୪୨୬ ରନ କରିଥିଲେ। ସଚିନ ୪୯ଟି ଶତକ ମାରିଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩୪୭ଟି ଦିନିକିଆ ଖେଳିଥିଲେ। ଏହି ଫର୍ମାଟରେ ସେ ୯ଟି ଶତକ ସହାୟତାରେ ୧୦୫୯୯ ରନ କରିଥିଲେ।
ଭାରତ ପାଇଁ ସର୍ବାଧିକ ଏକଦିବସୀୟ ମ୍ୟାଚ ଖେଳିବାରେ ରାହୁଲ ଦ୍ରାବିଡ ତୃତୀୟ ଖେଳାଳି। ସେ ୩୪୦ ମ୍ୟାଚ୍‌ରୁ ୧୨ ଶତକ ସହାୟତାରେ ୧୦,୭୬୮ ରନ କରିଥିଲେ, ଯେତେବେଳେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ୩୩୪ ଦିନିକିଆ ମ୍ୟାଚ୍‌ରୁ ୭ ଶତକ ସହାୟତାରେ ୯୩୭୮ ରନ କରିଥିଲେ। ଭାରତ ପାଇଁ ସର୍ବାଧିକ ଏକଦିବସୀୟ ମ୍ୟାଚ ଖେଳିବାରେ ସୌରଭ ଗାଙ୍ଗୁଲି ପଞ୍ଚମ ଖେଳାଳି। ସୌରଭ ଗାଙ୍ଗୁଲି ୩୦୮ ମ୍ୟାଚ ଖେଳି ୨୨ ଶତକ ସହିତ ୧୧୨୨୧ ରନ କରିଥିଲେ। ଯୁବରାଜ ସିଂହ ଷଷ୍ଠ ନମ୍ବରରେ ଅଛନ୍ତି। ଯୁବରାଜ ୩୦୧ଟି ମ୍ୟାଚ ଖେଳିଥିଲେ। ୧୪ ଶତକ ସହାୟତାରେ ଯୁବରାଜ ୮୬୦୯ ରନ କରିଥିଲେ। ଏବେ, ଆଉ ଦୁଇଟି ଦିନିକିଆ ଖେଳି କୋହଲି ଭାରତ ପାଇଁ ସର୍ବାଧିକ ଦିନିକିଆ ଖେଳିବାରେ ଷଷ୍ଠ ଖେଳାଳି ହୋଇଯିବେ।