ଜାଣନ୍ତୁ କାହିଁକି କେବଳ ଜାନୁଆରୀ ୨୪ରେ ପାଳନ କରାଯାଏ କନ୍ୟା ସନ୍ତାନ ଦିବସ ?

ଭାରତରେ ପ୍ରତିବର୍ଷ ଜାନୁଆରୀ ୨୪ରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଏ। ଝିଅମାନଙ୍କ ଅଧିକାର, ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୁରକ୍ଷା ବିଷୟରେ ସମାଜରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା କେବେ ଏବଂ କାହିଁକି କନ୍ୟା ସନ୍ତାନ ଦିବସ ପାଳନ କରିବାର ଆବଶ୍ୟକତା ଅନୁଭବ ହୋଇଥିଲା।

ଭାରତ ସରକାରଙ୍କ ଦ୍ୱାରା ୨୦୦୮ରେ ଜାତୀୟ କନ୍ୟା ସନ୍ତାନ ଦିବସ ଆରମ୍ଭ କରାଯାଇଥିଲା। ଏହାକୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ସମାଜରେ ଝିଅମାନଙ୍କ ପ୍ରତି ପ୍ରଚଳିତ ଭେଦଭାବକୁ ଶେଷ କରିବା ଏବଂ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା।

କାହିଁକି କେବଳ ଜାନୁଆରୀ ୨୪ରେ କନ୍ୟା ସନ୍ତାନ ଦିବସ ପାଳନ କରାଯାଏ?

୨୪ ଜାନୁଆରୀରେ କନ୍ୟା ସନ୍ତାନ ଦିବସ ପାଳନ କରିବାର କାରଣ ଇନ୍ଦିରା ଗାନ୍ଧୀଙ୍କ ସହ ଜଡ଼ିତ। ପ୍ରକୃତରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୪ ଜାନୁଆରୀ ୧୯୬୬ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଯେତେବେଳେ ଜଣେ ଝିଅ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ ଏହି ସ୍ବତନ୍ତ୍ର ଦିନଟିକୁ ଝିଅମାନଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା ଏବଂ ପ୍ରତିବର୍ଷ ୨୪ ଜାନୁଆରୀକୁ ଜାତୀୟ କନ୍ୟା ସନ୍ତାନ ଦିବସ ଭାବରେ ପାଳନ କରାଯାଇ ଆସୁଛି।

ପ୍ରତିବର୍ଷ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଜାତୀୟ କନ୍ୟା ଦିବସର ବିଷୟବସ୍ତୁ ସ୍ଥିର କରେ। ୨୦୨୪ କନ୍ୟା ସନ୍ତାନ ଦିବସର ବିଷୟବସ୍ତୁ ଥିଲା ‘ଭବିଷ୍ୟତ ପାଇଁ କନ୍ୟା ସନ୍ତାନଙ୍କ ଦୃଷ୍ଟିକୋଣ’। ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କନ୍ୟାମାନଙ୍କର ସଶକ୍ତିକରଣ’।