ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ NATO ଦେଶଗୁଡ଼ିକୁ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପାଇଁ ଚାପ ପକାଉଥିବା ବେଳେ, ଅନ୍ୟପଟେ ୟୁରୋପୀୟ ଦେଶଗୁଡ଼ିକ ଏହି ମହାସମରରୁ ଦୂରେଇ ରହିବାକୁ ବାଟ ଖୋଜୁଛନ୍ତି।
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆମେରିକାକୁ ଏବେ ହର୍ମୁଜରୁ ତେଲ ଦରକାର ନାହିଁ। ତେଣୁ ଯେଉଁ ଦେଶମାନଙ୍କୁ ତେଲ ଦରକାର, ସେମାନେ ନିଜେ ହୋର୍ମୁଜର ସୁରକ୍ଷା କରନ୍ତୁ। ସେ ଚାଇନାକୁ ମଧ୍ୟ ଏହି ବିବାଦ ଭିତରକୁ ଟାଣିଛନ୍ତି। ଏଥିସହିତ ସେ NATO ଦେଶଗୁଡ଼ିକୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନେ ହର୍ମୁଜ ଖୋଲିବା ଅଭିଯାନରେ ସାମିଲ ନହୁଅନ୍ତି, ତେବେ ଆମେରିକା ୟୁକ୍ରେନକୁ ଯୋଗାଉଥିବା ଅସ୍ତ୍ରଶସ୍ତ୍ର ବନ୍ଦ କରିଦେବ।
ଅନ୍ୟପଟେ ଇରାନର ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ଦାବି କରିଛି ଯେ, ହର୍ମୁଜ ଜଳପଥ ସମ୍ପୂର୍ଣ୍ଣ ଭାବେ ତାଙ୍କ ନିୟନ୍ତ୍ରଣରେ ଅଛି। ଇରାନର ବିଦେଶ ମନ୍ତ୍ରୀ ଅରାଗଚୀ କହିଛନ୍ତି ଯେ, ହୋର୍ମୁଜର ଭବିଷ୍ୟତ କେବଳ ଇରାନ ଓ ଓମାନ ସ୍ଥିର କରିବେ, କୌଣସି ବାହାର ଶକ୍ତି ନୁହେଁ। ବର୍ତ୍ତମାନ ସମୁଦ୍ର ମଝିରେ ୪୦୦ରୁ ଅଧିକ ବିଶାଳକାୟ ତେଲ ଟାଙ୍କର ଅଟକି ରହିଛି, ଯାହା ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଛି।
ଫ୍ରାନ୍ସ ସିଧାସଳଖ କହିଛି ଯେ NATOର କାମ ଏହି ଅଞ୍ଚଳରେ ଅପରେସନ୍ କରିବା ନୁହେଁ। ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଏଲିସ୍ ରୁଫୋ କହିଛନ୍ତି ଯେ NATO କେବଳ ୟୁରୋ-ଆଟଲାଣ୍ଟିକ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଅନ୍ୟପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ୟୁରୋପୀୟ ୟୁନିୟନ ସହ ମିଶି ଏକ ଭର୍ଚୁଆଲ ସମିଟ୍ ଜରିଆରେ ବିନା ଯୁଦ୍ଧରେ କିଭଳି ରାସ୍ତା ବାହାରିବ, ସେ ନେଇ ଉଦ୍ୟମ ଚଳାଇଛନ୍ତି।
ଏହି ଉତ୍ତେଜନା ଭିତରେ ଇରାନର ମିସାଇଲ୍ ଆକ୍ରମଣରେ ଇସ୍ରାଏଲର ତେଲ ଟାଙ୍କର ‘ଏକ୍ୱା-୧’ (Aqua-1) ନିଆଁରେ ଜଳୁଛି। ଏଥିସହିତ UAE ଏବଂ ବହରିନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଡ୍ରୋନ୍ ଷ୍ଟ୍ରାଇକ୍ ହୋଇଛି, ଯେଉଁଥିରେ କିଛି ଆମେରିକୀୟ ନୌସେନା ଅଧିକାରୀ ଆହତ ହୋଇଥିବା ଖବର ମିଳିଛି।
ସବୁଠାରୁ ବଡ଼ ସଙ୍କଟ ଏବେ ଚୀନ୍ ଉପରେ, କାରଣ ଚୀନର ୯୦ ପ୍ରତିଶତ ତେଲ ଏହି ରାସ୍ତା ଦେଇ ଆସିଥାଏ। ଚାଇନା ଏହି ଘଟଣା ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିବା ସହ ନିଜର ରଣନୀତିକ ସ୍ଥିତି ସ୍ପଷ୍ଟ କରିଛି।