ଶତକ ମାରିବା ପରେ ବ୍ୟାଟ୍‌ ଉଠାଇ ସିଟି ମାରିଲେ କେ ଏଲ୍‌ ରାହୁଲ? ସେଲିବ୍ରେଶନ ପଛର କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୪।୧: ଯେତେବେଳେ ଟିମ ଇଣ୍ଡିଆ ବ୍ୟାକଫୁଟ୍‌ରେ ଥାଏ ଅର୍ଥାତ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟସ ଅୟରଙ୍କ ଭଳି ବଡ଼ ବଡ଼ ବ୍ୟାଟ୍ସମ୍ୟାନ ନିରାଶ କରନ୍ତି, ସେହି ସମୟରେ ଏକମାତ୍ର ଖେଳାଳି ଯିଏକି ବାରମ୍ବାର କମାଲ କରି ଟିମ୍‌କୁ ବଞ୍ଚାଇ ଆଣନ୍ତି, ସେ ହେଉଛନ୍ତି କେଏଲ୍‌ ରାହୁଲ।
ବୁଧବାର ରାଜକୋଟ୍‌ର ନିରଞ୍ଜନ ଶାହ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆ ୧୧୫ ରନ୍‌ ସ୍କୋରରେ ୪ ଉଇକେଟ ହରାଇଥିଲା। ରାହୁଲ କ୍ରିଜ୍‌କୁ ଆସି ଜବରଦସ୍ତ ଶତକୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ଭାରତ ୫୦ ଓଭରରେ ୨୮୪/୭ର ମଜବୁତ ସ୍କୋର କରିବାରେ ସଫଳ ହୋଇଛି। ତେବେ ରାହୁଲ୍‌ଙ୍କ ଏହି ଇନିଂସ ମ୍ୟାଚ୍‌ର ରୂପରେଖକୁ ବଦଳାଇ ଦେଇଥିବା ବେଳେ ତାଙ୍କର ସେଲିବ୍ରେସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନିଜର ଶତକ ପୂରଣ ହେବା ପରେ ରାହୁଲ ହେଲମେଟ ଖୋଲି, ବ୍ୟାଟ ଉଠାଇ ସିଟି ମାରିଥିଲେ। ଏହା ତାଙ୍କର ପ୍ରଥମ ଏଭଳି ସେଲିବ୍ରେଶନ ଥିଲା, ଯାହା ସମସ୍ତଙ୍କୁ ଆକର୍ଷିତ କରିଥିଲା। ପୂର୍ବରୁ ସେମିତି କେବେ ହୋଇ ନ ଥିବା ଯୋଗୁ ଏହାର କାରଣ କ’ଣ ବୋଲି ପ୍ରଶଂସକମହଲରେ ଚର୍ଚ୍ଚା ହୋଇଥିଲା। ଏବେ ସତ ସାମ୍ନାକୁ ଆସିଛି।

ରାହୁଲ ଏହି ସିଟି ସେ ନିଜ କୁନି ଝିଅଙ୍କ ପାଇଁ ବଜାଇଥିଲେ, ଯାହାଙ୍କ ଜନ୍ମ ୨୦୨୫ ମାର୍ଚ୍ଚରେ ହୋଇଛି। ବାପା ହେବା ପରେ ରାହୁଲ ପ୍ରତ୍ୟେକ ବଡ଼ ଉପଲବ୍ଧିକୁ ଝିଅକୁ ସମର୍ପିତ କରୁଛନ୍ତି। ତେଣୁ ଏହି ମୁହୂର୍ତ୍ତ ତାଙ୍କ ଲାଗି ବହୁତ ଭାବବିହ୍ବଳ ଥିଲା। ଏହି ଶତକ ସହ ରାହୁଲ ରାଜକୋଟ୍‌ରେ ଦିନିକିଆ ଶତକ ମାରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇ ଇତିହାସ ରଚିଛନ୍ତି। ଏଠାରେ ରୋହିତ ଶର୍ମା ଓ ବିରାଟ କୋହଲି ଭଳି ଭେଟେରାନ ମଧ୍ୟ କେବେ ଶତକ ମାରି ପାରି ନାହାନ୍ତି। ଏହି ସ୍କୋର ରାହୁଲଙ୍କର ଦିନିକିଆ କ୍ୟାରିୟରର ସର୍ବୋଚ୍ଚ ସ୍କୋର ମଧ୍ୟ (ନଟଆଉଟ ୧୧୨)।
କହିବାକୁ ଗଲେ  ଅସୁବିଧାରେ ଆସଲ ଖେଳାଳିର ପରିଚୟ ଜଣାପଡେ। ଏମିତିରେ କ୍ରାଇସିସ ମ୍ୟାନ୍‌ କେଏଲ୍‌ ରାହୁଲ ଟିମ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପୁଣିଥରେ ପ୍ରମାଣିତ ହୋଇଛି ବୋଲି କୁହାଯାଉଛି।