ନୂଆଦିଲ୍ଲୀ,୧୧।୩: ଭାରତୀୟ ଷ୍ଟାର ଉଇକେଟ୍କିପର-ବ୍ୟାଟସମ୍ୟାନ କେ.ଏଲ ରାହୁଲ ଆଇପିଏଲ ୨୦୨୫ର କିଛି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିପାରିବେ ନାହିଁ। ରିପୋର୍ଟ ଅନୁସାରେ, ୩୨ ବର୍ଷୀୟ ବ୍ୟାଟସମ୍ୟାନଙ୍କ ଘରେ ୨୦୨୫ ଗ୍ରୀଷ୍ମ ଋତୁରେ ଏକ ଛୋଟ ଅତିଥି ଆସିବାକୁ ଯାଉଛନ୍ତି। ପ୍ରଥମ ସନ୍ତାନର ଜନ୍ମ ସମୟରେ ପତ୍ନୀ ଆଥିୟା ଶେଟ୍ଟୀଙ୍କ ସହ ରହିବା ପାଇଁ କେଏଲ ଗୋଟିଏ କିମ୍ବା ଦୁଇଟି ମ୍ୟାଚ ହରାଇପାରନ୍ତି।
ରାହୁଲ ଏପର୍ଯ୍ୟନ୍ତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ ପାଇଁ ଖେଳି ସାରିଛନ୍ତି। ୨୦୨୫ ଆଇପିଏଲ ମେଗା ନିଲାମରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୪ କୋଟି ଟଙ୍କାରେ ସାଇନ କରିଥିଲା। ପୂର୍ବତନ LSG ଅଧିନାୟକ ଏପର୍ଯ୍ୟନ୍ତ ୧୩୨ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି ଏବଂ ଚାରିଟି ଶତକ ଏବଂ ୩୭ଟି ଅର୍ଦ୍ଧଶତକ ସହାୟତାରେ ୪୬୮୩ ରନ୍ କରିଛନ୍ତି। IPL ୨୦୨୫ ମେଗା ନିଲାମ ପୂର୍ବରୁ ରାହୁଲଙ୍କୁ ରିଟେନ ନକରିବା ପାଇଁ LSGର ନିଷ୍ପତ୍ତି ଏକ ଆଶ୍ଚର୍ଯ୍ୟଜନକ ଥିଲା। ସେ ଆଇପିଏଲ ୨୦୨୪ ରେ ସେମାନଙ୍କ ପାଇଁ ସର୍ବାଧିକ ରନ କରିଥିଲେ।