Categories: Home Leftଖେଳ

ଆଇପିଏଲ ପୂର୍ବରୁ କେକେଆରକୁ ଲାଗିଲା ଶକ୍ତ ଧକ୍କା

ସିଡ୍‌ନୀ, ୩୦।୫: ଆଇପିଏଲ-୧୪ର ଦ୍ୱିତୀୟ ପର୍ଯ୍ୟାୟ ତଥା ବଳକା ୩୧ ମ୍ୟାଚ୍‌ ୟୁଏଇଠାରେ ଆସନ୍ତା ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ଲାଗିଛି ଶକ୍ତ ଧକ୍କା। ଦଳର ସବୁଠୁ ଦାମୀ ତଥା ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଟ କୁମିନ୍ସ କେକେଆର୍‌ ପାଇଁ ଉପଲବ୍ଧ ହେବେ ନାହିଁ।

ବହୁ କୋଟି ଟଙ୍କାର ଆଇପିଏଲ ଚୁକ୍ତି ସତ୍ତ୍ୱେ କୁମିନ୍ସ ଚଳିତ ଟି୨୦ ଇଭେଣ୍ଟର ଚଳିତ ସିଜନ ପାଇଁ ଆଉ ନ ଫେରିବାକୁ ନିଷ୍ପତ୍ତି ନେଇଥିବା ସିଡ୍‌ନୀ ମର୍ନିଂ ହେରାଲ୍ଡର ଏକ ରିପୋର୍ଟ ପ୍ରକାଶ ପାଇଛି।

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଖେଳାଳିଙ୍କ ଓ୍ବାର୍କଲୋଡ୍‌ ଓ ବାୟୋ ବବଲ ସମ୍ପର୍କରେ ଅଷ୍ଟ୍ରେଲିଆନ ବୋର୍ଡକୁ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଜୁନ ଶେଷ ଆଡ଼କୁ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଅଷ୍ଟ୍ରେଲିଆ ଦଳକୁ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବାର ଅଛି। ପରେ ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ଓ ଆଶେସ ସିରିଜ୍‌ ଖେଳାଯିବ। ଅଗଷ୍ଟରେ ବାଂଲାଦେଶରେ ଅଷ୍ଟ୍ରେଲିଆ ଦଳ ଟି୨୦ ସିରିଜ୍‌ ଖେଳିପାରେ। ଏହି ସିରିଜ୍‌ ଉପରେ ଏପର୍ଯ୍ୟନ୍ତ ମୋହର ଲାଗି ନାହିଁ। କିନ୍ତୁ ବାଂଲାଦେଶ ଟି୨୦ ସିରିଜ୍‌ରେ ୫ ମ୍ୟାଚ୍‌ ଖେଳିବାକୁ ଯୋଜନା କରୁଛି।