ଆଇପିଏଲ୍‌ ଖେଳିବେନି କେକେଆର୍‌ର ଏହି ଖେଳାଳି !

ଲଣ୍ଡନ, ୨୯।୧: ଇଂଲଣ୍ଡର ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ ଟମ ବେଣ୍ଟନ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳି ନ ପାରନ୍ତି। ଦେଶର ଟେଷ୍ଟ ଟିମ୍‌ରେ ସ୍ଥାନ ପାଇବାକୁ ନେଇ ସୁଯୋଗ ହାତଛଡ଼ା କରିବାକୁ ସେ ଚାହୁଁ ନାହାନ୍ତି। ଏଣୁ ସେ ଲାଲ୍‌ ବଲ୍‌ରେ ଘରୋଇ କ୍ରିକେଟ ଖେଳିବା ଉପରେ ଧ୍ୟାନ ଦେଉଥିବା  କହିଛନ୍ତି।

ସ୍କାଇ ସ୍ପୋଟ୍ସ ସହ ସାକ୍ଷାତକାରରେ ସେ କହିଛନ୍ତି, ପିଲାଦିନୁ ମୋତେ ଆଇପିଏଲ୍‌ ଟୁର୍ନାମେଣ୍ଟ ଦେଖିବା ପସନ୍ଦ ଥିଲା। ହେଲେ ଏବେ ସମୟ ଆସିଛି, ଯେଉଁଠି ବେଞ୍ଚରେ ନ ବସି କ୍ରିକେଟ ଖେଳିବାର ଆବଶ୍ୟକତା ରହିଛି। ଗତ ବର୍ଷ କିଛି ଜିନିଷ ଶିଖିଛି। ସମସ୍ତ ଟୁର୍ନାମେଣ୍ଟ ଭଲ। ହେଲେ ମୋତେ ସବୁବେଳେ କମ୍‌ ବ୍ୟାଟିଂ କରିବା ଏବଂ କ୍ରିକେଟ ଖେଳିବା କଷ୍ଟ ଦେଇଥାଏ। ଏଣୁ କ୍ୟାରିୟରର ଏଭଳି ସମୟରେ ଲମ୍ବା ଫର୍ମାଟ ପାଇଁ ଖେଳିବା ଉଚିତ ଲାଗୁଛି। ଟେଷ୍ଟ କ୍ରିକେଟ ଖେଳିବା ଏବେ ତାଙ୍କ ଲକ୍ଷ୍ୟ ପାଲଟିଥିବା ସେ କହିଛନ୍ତି।

ଗତ ବର୍ଷ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିଲେ ଟମ୍‌। ଦଳ ପକ୍ଷରୁ ସେ କେବଳ ଦୁଇଟି ମ୍ୟାଚ୍‌ ଖେଳିଥିଲେ। କେବଳ ବେଞ୍ଚରେ ବସି ରହିବା ଅପେକ୍ଷା ଖେଳିବାକୁ ଇଚ୍ଛା ରଖିଥିବା ସେ କହିଛନ୍ତି।