IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ କାରଣରୁ ଆଇପିଏଲର ୧୯ତମ ସଂସ୍କରଣରୁ ବାଦ ପଡ଼ିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଗୋଟିଏ ବି ମ୍ୟାଚ୍‌ ନ ଖେଳି ମଧ୍ୟ ହର୍ଷିତଙ୍କୁ ପୂରା ୪ କୋଟି ଟଙ୍କା ମିଳିବ।
ହର୍ଷିତ T୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଖେଳାଯାଇଥିବା ଏକ ୱାର୍ମଅପ ମ୍ୟାଚ୍‌ରେ ଆହତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୋଲିଂ କରୁଥିବା ସମୟରେ ତାଙ୍କୁ ଏହି ଆଘାତ ଲାଗିଥିଲା। ଏହି କାରଣରୁ ସେ ବିଶ୍ୱକପ୍‌ରୁ ମଧ୍ୟ ବାଦ ପଡ଼ିଥିଲେ। ପରେ ତାଙ୍କର ସର୍ଜରୀ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ଫଳରେ ସେ IPL ୨୦୨୬ରୁ ନିଜ ନାମ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି।
ଆଇପିଏଲ ୨୦୨୬ ପାଇଁ ହର୍ଷିତଙ୍କ ମୂଲ୍ୟ ୪ କୋଟି ଟଙ୍କା ରହିଛି। ବିସିସିଆଇ (BCCI) ର ନିୟମ ଅନୁଯାୟୀ, ଯଦି ଜଣେ କେନ୍ଦ୍ରୀୟ ଚୁକ୍ତି (Central Contract) ଭୁକ୍ତ ଖେଳାଳି ଜାତୀୟ ଦଳ ପାଇଁ ଖେଳୁଥିବା ବେଳେ ଆହତ ହୋଇ ପୂରା ସିଜନ୍‌ରୁ ବାଦ ପଡ଼ନ୍ତି, ତେବେ ତାଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ତେବେ ଏହି ଟଙ୍କା ତାଙ୍କୁ KKR ନୁହେଁ, ବରଂ BCCI ପ୍ରଦାନ କରିବ।  ୨୦୧୧ରୁ ଲାଗୁ ହୋଇଥିବା ଏହି ପଲିସିର ଫାଇଦା ପୂର୍ବରୁ ଋଷଭ ପନ୍ତ ଏବଂ ଦୀପକ ଚହର ମଧ୍ୟ ପାଇସାରିଛନ୍ତି।
ହର୍ଷିତ KKR ପାଇଁ ଜଣେ ସଫଳ ବୋଲର ଭାବେ ଉଭା ହୋଇଥିଲେ। ତାଙ୍କର ପ୍ରଦର୍ଶନ  ଦେଖିଲେ ସେ ମୋଟ ୩୪ ମ୍ୟାଚ୍‌ ଖେଳିଥିବା ବେଳେ ୪୦ ଉଇକେଟ ନେଇଥିଲେ। ଏହାପୂର୍ବରୁ KKR ମୁସ୍ତାଫିଜୁର ରହମାନଙ୍କ ବଦଳ ଖେଳାଳି ଭାବେ ବ୍ଲେସିଂ ମୁଜରବାନୀଙ୍କୁ ଦଳରେ ସାମିଲ କରିସାରିଛି। ଏବେ ହର୍ଷିତଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ, ତାହା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି।
Dharitri – Odisha’s No.1 Odia Daily

Share