ଦାରିଙ୍ଗବାଡି,୨୪।୯ (ଅରୁଣ ସାହୁ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ପାଇଁ ଗୁରୁତ୍ୱ ଦେଇ ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ପାଠ୍ୟ ପୁସ୍ତକ, ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ସହ ପୁଷ୍ଟିକର ଖାଦ୍ୟରେ ମାଣ୍ଡିଆ ଲଡ଼ୁ ଆଦି ପ୍ରଦାନ କରୁଛନ୍ତି। ଏଥିପାଇଁ ସରକାର ଭିତ୍ତି ଭୂମିକୁ ସୁଦୃଢ଼ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଝିଞ୍ଜିରୀଗୁଡା ପଞ୍ଚାୟତ ଲାଣ୍ଡାଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର ପାଇଁ ସରକାର ଅନୁଦାନ ଦେଇଥିଲେ ସୁଦ୍ଧା ରୋଷେଇ ଗୃହ ନିର୍ମାଣରେ ପଞ୍ଚାୟତ ଓ ବିଦ୍ୟାଳୟ ପକ୍ଷରୁ ସମ୍ମନ୍ନୟ ଅଭାବରୁ ନିର୍ମାଣ କାର୍ଯ୍ୟରେ ଅହେତୁକ ଅବହେଳା ପ୍ରଦର୍ଶନ କରାଯାଉଥିଲା।
ଏ ନେଇ ଧରିତ୍ରୀରେ ଅଗଷ୍ଟ ମାସରେ ଖବର ପ୍ରକାଶିତ ହୋଇଥିଲା । ପରେ ପଞ୍ଚାୟତ ଓ ବିଦ୍ୟାଳୟ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ରୋଷେଇ ଶାଳ ନର୍ମାଣ କରାଗଲା। ଫଳରେ ରୋଷେୟାଙ୍କ ମୁହଁରେ ହସ ଫୁଟିଲା। ବର୍ଷା ହେଲେ ମଧ୍ୟ କୌଣସି ଅସୁବିଧା ହେଉ ନ ଥିବା ସୁକାନ୍ତି ଉଠାଣସିଂ କହିଛନ୍ତି।
ସେହିପରି ବିଡିଓ ପ୍ରୀତିରଞ୍ଜନ ରଥ ଦାରିଙ୍ଗବାଡିରେ ଦାୟିତ୍ୱ ନେବାପର ଠାରୁ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ବିଦ୍ୟାଳୟ ଭାବେ କାର୍ଯ୍ୟ କରାଉଛନ୍ତି। ବ୍ଲକ ଅଞ୍ଚଳରେ ପ୍ରାୟ ୪୬ଟି ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ କରାଯାଉଥିବା କହିଛନ୍ତି। ଫଳରେ ଲାଣ୍ଡାଗୁଡ଼ି ସମେତ ଅନ୍ୟ ବିଦ୍ୟାଳୟ ଗୁଡିକ ସଜେଇ ହେଉଥିବା ଦେଖିବାକୁ ମିଳିଛି।