ନୂଆଦିଲ୍ଲୀ,୨ା୫: ଏସିଆନ ଗେମ୍ସ ରୌପ୍ୟ ବିଜେତା ଓଡ଼ିଶାର କିଶୋର ଜେନା ନୀରଜ ଚୋପ୍ରା କ୍ଲାସିକ୍ ଜାଭେଲିନ୍ ଥ୍ରୋରେ ଭାଗ ନେବେ। ଫଳରେ ଇଭେଣ୍ଟରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ନୀରଜ ଚୋପ୍ରା କ୍ଲାସିକ ମେ ୨୪ରେ ବେଙ୍ଗାଲୁରୁସ୍ଥିତ ଶ୍ରୀକାନ୍ତିରାଭା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
୨୯ ବର୍ଷୀୟ କିଶୋରଙ୍କ ବ୍ୟତୀତ ଭାରତର ଉଦୀୟମାନ ଜାଭେଲିନ୍ ଥ୍ରୋୟର ସଚିନ ଯାଦବ, ରୋହିତ ଯାଦବ ଓ ସାହିଲ ସିଲ୍ଓ୍ବାଲ ପ୍ରମୁଖ ଏଥିରେ ଭାଗ ନେବେ। ସେମାନେ ଡବଲ ଅଲିମ୍ପିକ ପଦକ ବିଜେତା ନୀରଜଙ୍କ ସମେତ ବିଶ୍ୱର କେତେଜଣ ଶ୍ରେଷ୍ଠ ଆଥ୍ଲେଟଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାର ସୁଯୋଗ ପାଇବେ। ଏହି ନୂଆ ଜାଭେଲିନ୍ ଇଭେଣ୍ଟ ଓ୍ବାଲର୍ଡ ଆଥ୍ଲେଟିକ୍ସ ଦ୍ୱାରା ‘ଏ’ କାଟେଗୋରୀ ମାନ୍ୟତା ଲାଭ କରିଛି। ଏଥିରେ ଇଭେଣ୍ଟର ଆୟୋଜକ ଚୋପ୍ରାଙ୍କ ସମେତ ୫ଜଣ ଭାରତୀୟ ଭାଗ ନେବେ।