ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ କଂସ ମହାରାଜ । ପରିଭ୍ରମଣ ବାଟରେ ନିଜ ପାତ୍ରମନ୍ତ୍ରୀଙ୍କ ଗହଣରେ କଂସ ମହାରାଜ ସ୍ଥାନୀୟ ପୂର୍ତ୍ତ ବିଭାଗରେ ପହଞ୍ଚିଥିଲେ। ସେଠାରେ କଂସ ମହାରାଜ ମଥୁରାନଗରୀ ରାସ୍ତାଘାଟ କାମରେ ଚାଲିଥିବା ପି.ସି କାରବାର ଅଭିଯୋଗ କଥା ଉଠାଇଥିଲେ। ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିଜ ସମ୍ମୁଖରେ ହାଜର କରି କଂସ ମହାରାଜ କହିଥିଲେ, ମଥୁରା ନଗରୀରେ ରାସ୍ତାକାମ ଏଭଳି ହୋଇଛି ଯେ, ତାଙ୍କ ହାତୀ ମଧ୍ୟ ଠିକ୍‌ଭାବେ ଚାଲିପାରୁନାହିଁ। ହାତୀର ପାଦରେ ରାସ୍ତା ଉପରେ ବାହାରି ରହିଥିବା ପଥର ପଶୁଛି। ଏଭଳି ରାସ୍ତାକାମରେ କ’ଣ ପି.ସି ଖାଉଛ ବୋଲି କଂସ ମହାରାଜ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ରାସ୍ତାକାମ ନିର୍ମାଣରେ ଅବହେଳା ଯୋଗୁ କଂସ ମହାରାଜ କ୍ରୋଧାନ୍ବିତ ହୋଇ ନିର୍ବାହୀ ଯନ୍ତ୍ରୀଙ୍କୁ ୭୫ଲକ୍ଷ ସ୍ବର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିଥିଲେ ଏବଂ ଆସନ୍ତା ଜାନୁଆରୀ ମାସ ୩ ତାରିଖ ସୁଦ୍ଧା ରାସ୍ତା ନିର୍ମାଣ କାମ ସାରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କଂସ ମହାରାଜଙ୍କ ଏଭଳି ପ୍ରଶ୍ନବାଣ ପରେ ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଚାଲିଥିବା ପି.ସି କାରବାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

Dharitri – The Largest & Most Trusted Odia Daily