ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ ଦେଶର ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରାଯାଉଥିବା ସମ୍ଭାବନା ଅଛି। ପୂର୍ବତନ ନେତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତାଙ୍କ ପିତାମାତାଙ୍କ ସହ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ କୁମସୁସାନ୍ ମାଉସୋଲିୟମ୍ ଗସ୍ତ କରିଥିଲେ। ଶୁକ୍ରବାର ପ୍ରକାଶିତ ରାଷ୍ଟ୍ରୀୟ ଗଣମାଧ୍ୟମର ଫଟୋରୁ ଏହା ଜଣାପଡ଼ିଛି।
ଗତ ତିନି ବର୍ଷ ମଧ୍ୟରେ ଜୁ ଏ ରାଷ୍ଟ୍ରୀୟ ଗଣମାଧ୍ୟମରେ କ୍ରମାଗତ ଭାବେ ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଉଛନ୍ତି। ଏହାଦ୍ୱାରା ସେ ଦେଶର ଚତୁର୍ଥ ପିଢ଼ିର ନେତା ହେବେ ବୋଲି ବିଶ୍ଳେଷକ ଓ ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସି ପକ୍ଷରୁ କଳ୍ପନାଜଳ୍ପନା ବୃଦ୍ଧି ପାଇଛି।
ଜାନୁଆରୀ ୧ ତାରିଖରେ ହୋଇଥିବା ଏହି ଗସ୍ତରେ କିମ୍ ଜୋଙ୍ଗ୍ ଉନ୍ଙ୍କ ସହ ତାଙ୍କ ପତ୍ନୀ ଲି ସୋଲ୍ ଜୁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ସମ୍ବାଦ ସଂସ୍ଥା କେସିଏନ୍ଏ (KCNA) ର ଫଟୋ ଅନୁଯାୟୀ, ଜୁ ଏ କୁମସୁସାନ୍ ପ୍ୟାଲେସ୍ ଅଫ୍ ଦି ସନ୍ ର ମୁଖ୍ୟ ହଲରେ ତାଙ୍କ ପିତାମାତାଙ୍କ ମଝିରେ ଠିଆ ହୋଇଥିଲେ।
୨୦୧୦ ଦଶକର ପ୍ରାରମ୍ଭରେ ଜନ୍ମ ହୋଇଥିବା ବିଶ୍ୱାସ କରାଯାଉଥିବା କିମ୍ ଜୁ ଏ ଚଳିତ ବର୍ଷର ନୂଆବର୍ଷ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ। ସେ ସେପ୍ଟେମ୍ବରରେ ତାଙ୍କ ପିତାଙ୍କ ସହ ପ୍ରଥମ ସାର୍ବଜନୀନ ବିଦେଶ ଗସ୍ତରେ ବେଜିଂ ଯାତ୍ରା କରିଥିଲେ।
କିମ୍ ତାଙ୍କ ଜେଜେବାପା ତଥା ରାଷ୍ଟ୍ର ପ୍ରତିଷ୍ଠାତା କିମ୍ ଇଲ୍ ସୁଙ୍ଗ୍ ଏବଂ ପିତା କିମ୍ ଜୋଙ୍ଗ୍ ଇଲ୍ ଙ୍କୁ ସମ୍ମାନ ଜଣାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ ଓ ବାର୍ଷିକୀରେ କୁମସୁସାନ୍ ଗସ୍ତ କରନ୍ତି।