ବ୍ୟାପୁଛି କିଡ୍‌ନୀ ରୋଗ: ଗାଁରେ ମେଡିକାଲ ଟିମ୍‌ର ତଦନ୍ତ ଆରମ୍ଭ

କର୍ଲାମୁଣ୍ଡା,୧୩।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧଅଁରାଖମନ ଗ୍ରାମରେ କିଡ୍‌ନୀ ରୋଗ ବ୍ୟାପିବାରେ ଲାଗିଛି। କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଗଲାଣି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କର୍ଲାମୁଣ୍ଡା ଗ୍ରସ୍ତ ସାରି ଉକ୍ତ ରାସ୍ତାଦେଇ ବଲାଙ୍ଗୀର ଯାଉଥିବା ବେଳେ ଧଅଁରାଖମନ ଛକରେ ସ୍ଥାନୀୟ ନେତୃମଣ୍ଡଳୀ ଓ ଗ୍ରାମବାସୀ ତାଙ୍କୁ ଅଟକାଇ କିଡ୍‌ନୀ ରୋଗ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଏନେଇ ମନ୍ତ୍ରୀ ସିଡିଏମ୍‌ଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଭବାନୀପାଟଣା ରେଣ୍ଡୋ ମାଝୀ ଭେଷକ ମହାବିଦ୍ୟାଳୟର ମେଡିସିନ ବିଭାଗର ଏଚ୍‌ଓଡି ପ୍ରଫେସର ଡା.ଲୋମପାଦ ନାଏକଙ୍କ ନେତୃତ୍ୱରେ ମେଡିସିନ(ଜେନେରାଲ) ବିଭାଗର ସହକାରୀ ପ୍ରଫେସର ଡା.ଠାକୁର ସୋହେନ, ଏମରଜେନ୍ସି ମେଡିସିନ ବିବାଗ ଏଚ୍‌ଓଡି ଡା.ଶେଷଦେବ ଛତର, ସହକାରୀ ପ୍ରଫେସର ଡା.ସାରଦା ପ୍ରିୟଦର୍ଶନୀ ଓ ଲ୍ୟାବ ଟେକନିସିଆନ ଭାଷ୍କର ପଧାନ ଗାଁରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡା. ନିହାର ରଞ୍ଜନ ଠାକୁର, କର୍ଲାମୁଣ୍ଡା ସିଏଚ୍‌ସି ମେଡିକାଲ ଅଫିସର ମୁକେଶ କୁମାର ଯାଦବ, ସିଏଚ୍‌ଇଓ କିଶୋର ଚନ୍ଦ୍ର ଦାସ, ବିପିଏମ୍‌ ଅଜିତ ସିଂ କୁମାର ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ୧୩ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଏଥି ସହିତ ଗାଁରେ ଏକ ସଚେତନା ସଭା କରାଯିବା ସହ ପାଣି ନମୁନା ସଂଗ୍ରହ କରାଯାଇଥିଲା। ସୂଚନା ଯୋଗ୍ୟ, ଗାଁରେ ଗତ ୫ବର୍ଷ ମଧ୍ୟରେ କିଡ୍‌ନୀ ରୋଗରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି।