ଅପହରଣ, ବଳାତ୍କାର ଅଭିଯୋଗ: ୩ ଗିରଫ

ବାହାନଗା,୨୦ା୩(ଡି.ଏନ.ଏ.)-ବାହାନଗା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କ ସହିତ ତାଙ୍କ ମା’ ଓ ତାଙ୍କ ସହଯୋଗୀଙ୍କୁ ସୋର ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏଥିନିମନ୍ତେ ସୋର ଥାନାରେ ଏକ ମାମଲା(ନଂ.୧୨୬/୨୩) ରୁଜୁ ହୋଇଛି। ଗିରଫ ୩ଜଣ ହେଲେ ବାସୁଦେବପୁର ଥାନା ଅଞ୍ଚଳର ଚୂଡାମଣି ଗ୍ରାମର ଜୟଦେବ ସାହୁ(୨୪), ତାଙ୍କ ମା’ ପାର୍ବତୀ ସାହୁ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ରଣା।
ଜୟଦେବ ଗୁଜୁରାଟରେ ଏକ କମ୍ପାନୀରେ କାମ କରୁଥିବା ବେଳେ ବାହାନଗା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଫେସବୁକରେ ସମ୍ପର୍କ ଗଢିଉଠିଥିଲା। ପରେ ଜୟଦେବ ବାହାନଗା ଆସି ନାବାଳିକାଙ୍କୁ ଅପହରଣ କରିନେଇ ପଳାଇଥିଲେ। ଏ ବାବଦରେ ନାବାଳିକାଙ୍କ ପରିବାର ଲୋକ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମାତ୍ର ଗତ ରବିବାର ରାତିରେ ସୋର ପୋଲିସ ଚୂଡାମଣିରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ନାବାଳିକାଙ୍କୁ ଜୟଦେବଙ୍କ ମାମୁ ଘରୁ ଉଦ୍ଧାର କରିବା ସହ ଜୟଦେବଙ୍କୁ ଗିରଫ କରିଥିଲେ। ପରେ ପୋଲିସ ନାବାଳିକାଙ୍କ ବୟାନକୁ ଭିତ୍ତି କରି ଜୟଦେବଙ୍କ ମା’ ପାର୍ବତୀ ଓ ତାଙ୍କ ସାଙ୍ଗ ଶରତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟଙ୍କର ଡାକ୍ତରୀମାଇନା କରାଯାଇଥିଲା।