Categories: Home Leftଖେଳ

ଐତିହାସିକ ରୌପ୍ୟ ସହ ଫେରିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଷ୍ଟାର ପୁରୁଷ ଶଟଲର କିଡାମ୍ବି ଶ୍ରୀକାନ୍ତ ଚଳିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ରବିବାର ସ୍ପେନର ହୁଏଲଭାଠାରେ ଖେଳାଯାଇଥିବା ଫାଇନାଲରେ ତାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାତେଇ ନେଇଛନ୍ତି ସିଙ୍ଗାପୁରର ଲୋ କେନ ୟେ। ତେବେ ଫାଇନାଲରେ ପରାସ୍ତ ହୋଇଥିଲେ ମଧ୍ୟ ଇତିହାସ ରଚିଛନ୍ତି ଶ୍ରୀକାନ୍ତ। ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ ପ୍ରକାଶ ପାଦୁକୋଣ (୧୯୮୩), ଏସ୍‌ ଏସ୍‌ ପ୍ରଣୟ (୨୦୧୯) ଓ ଲକ୍ଷ୍ୟ ସେନ (୨୦୨୧) ବ୍ରୋଞ୍ଜ ପଦକ ହାତେଇଥିଲେ।

ଫାଇନାଲରେ ପୂର୍ବତନ ନଂ ୧ ଶଟଲର ପ୍ରଥମ ଗେମ୍‌ରେ ୯-୩ର ଅଗ୍ରଣୀ ହାତେଇଥିଲେ। କିନ୍ତୁ ମଧ୍ୟାନ୍ତର ପରେ ୨୧-୧୫ ବ୍ୟବଧାନରେ ତାଙ୍କ ଠାରୁ ଗେମ୍‌ ଛଡ଼ାଇ ନେଇଥିଲେ ସିଙ୍ଗାପୁର ଖେଳାଳି। ଦ୍ୱିତୀୟ ଗେମ୍‌ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା। ଶେଷରେ ୨୨-୨୦ରେ ପରାସ୍ତ ହୋଇଥିଲେ ୨୮ ବର୍ଷୀୟ ଶ୍ରୀକାନ୍ତ।

ଇତିହାସରେ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ପୁରୁଷ ବର୍ଗରେ ଭାରତ ଦୁଇଟି ପଦକ ଜିତିଛି। ଏହି ଇଭେଣ୍ଟର ସେମିଫାଇନାଲରେ ଶ୍ରୀକାନ୍ତଙ୍କଠାରୁ ପରାସ୍ତ ହୋଇ ଲକ୍ଷ୍ୟ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଥିଲେ। ତେବେ ଏକମାତ୍ର ଭାରତୀୟ ଭାବେ ପି ଭି ସିନ୍ଧୁ ଏହି ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ସିନ୍ଧୁଙ୍କ ନାମରେ ଗୋଟିଏ ସ୍ବର୍ଣ୍ଣ ସହିତ ଦୁଇଟି ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ରହିଛି। ତାଙ୍କ ଭଳି ସାନିଆ ନେହ୍ବାଲ ଥରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ।