Kickback Scheme: ‘ଭାରତକୁ ନିର୍ବାଚନବେଳେ ଦିଆଯାଇଛି ୧୮୨କୋଟି ଟଙ୍କା’ ଟ୍ରମ୍ପଙ୍କ ବୟାନକୁ ନେଇ ଭାରତରେ ଚହଳ

ଓ୍ବାଶିଂଟନ୍‌,୨୧।୨: ର୍ନିବାଚନରେ ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକାରୁ ପାଣ୍ଠି ଦିଆଯାଉଥିବା ବିବାଦ ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି। ଏହାରି ଭିତରେ ପୁଣି ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ପାଇଁ ଭାରତକୁ ପାଣ୍ଠି ଦିଆଯାଉଥିବାକୁ ସେ Kickback Scheme ବା ଲାଞ୍ଚ ଯୋଜନା ବୋଲି କହିଛନ୍ତି।

ରିପବ୍ଲିକାନ ଗଭର୍ଣ୍ଣର୍ସ ଆସୋସିଏସନ କାର୍ଯ୍ୟକ୍ରମରେ ସେ ଏହି ବକ୍ତବ୍ୟ ଦେଇ କହିଛନ୍ତି, ବାଇଡେନ ପ୍ରଶାସନ ଭାରତର ର୍ନିବାଚନରେ ହସ୍ତକ୍ଷେପ କରୁଥିଲେ। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ, ଟେସଲାର ସିଇଓ ଏଲୋନ ମସ୍କ ମଧ୍ୟ ଏହି ପାଣ୍ଠି ଉପରେ ପ୍ରଶ୍ନ ଉଠାଇଛନ୍ତି।
ଟ୍ରମ୍ପ ଦାବି କରିଛନ୍ତି ଯେ ପୂର୍ବ ଆମେରିକା ସରକାର ଭାରତରେ ଭୋଟରଙ୍କ ମତଦାନ ବୃଦ୍ଧି କରିବା ପାଇଁ USAID ମାଧ୍ୟମରେ ୨୧ ନିୟୁତ ଡଲାର ଅର୍ଥାତ ୧୮୨ କୋଟି ଟଙ୍କା ଦେଇଥିଲେ। ଏହି ଦାବି ପରେ ଭାରତୀୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଏହାକୁ ନେଇ ଭାରତରେ ଭାଜପା-କଂଗ୍ରେସ ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ତଥାପି, ଇଣ୍ଡିଆନ ଏକ୍ସପ୍ରେସ ତାର ରିପୋର୍ଟରେ ଦାବି କରିଛି ଯେ USAIDର ଟଙ୍କା ଭାରତକୁ ନୁହେଁ ବରଂ ବାଂଲାଦେଶକୁ ଯାଇଥିଲା ଏବଂ ସେଠାରେ ବ୍ୟବହାର କରାଯାଇଥିଲା।

ତେବେ ଏହି ବିବାଦ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନରୁ ଆରମ୍ଭ ହୋଇଥିଲା। ଟ୍ରମ୍ପ କହିଛନ୍ତି, ‘ଭାରତରେ ଭୋଟ ବୃଦ୍ଧି କରିବା ପାଇଁ 21 ନିୟୁତ ଡଲାର ଦେବାର କ’ଣ ଆବଶ୍ୟକତା ଅଛି?’ ଆମେ ଭାରତର ମତଦାନ ହାର ବିଷୟରେ କାହିଁକି ଚିନ୍ତା କରୁଛୁ? ଆମର ନିଜର ଯଥେଷ୍ଟ ସମସ୍ୟା ଅଛି କିନ୍ତୁ ଭାରତକୁ ଟଙ୍କା ପଠାଯାଉଛି। ମୁଁ ବିଶ୍ୱାସ କରେ ଭାରତକୁ ପାଣ୍ଠି ଦେବା ଏକ Kickback Scheme।ଏହାର ଅର୍ଥ ହେଉଛି ଯେଉଁ ଟଙ୍କା ଦିଆଯାଏ ତାହା ହେରଫେର ହୋଇଥାଏ। ଏହା ପଛରେ କ’ଣ ଚାଲିଛି ତାହା କେହି ଜାଣି ନାହାଁନ୍ତି।

କହିରଖୁଛୁ ଯେ, USAID ହେଉଛି ଏକ ଆମେରିକୀୟ ସରକାରୀ ସଂସ୍ଥା ଯାହା ବିକାଶଶୀଳ ଦେଶମାନଙ୍କୁ ସହାୟତା ପ୍ରଦାନ କରେ। ଟ୍ରମ୍ପ କହିଛନ୍ତି ଯେ ଭାରତରେ ଟଙ୍କା ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା। ଟ୍ରମ୍ପଙ୍କ ଏହି ବୟାନ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଧ୍ୟରେ ଫଶଟ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

Share