ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ସମୁଦାୟ ୫ ପଦବୀ ପାଇଁ ୧୦ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ। ଶୁକ୍ରବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନରେ ସା ୫ଟା ସୁଦ୍ଧା ସଭାପତି ପଦବୀ ନିମନ୍ତେ ଆଇନଜୀବୀ ରସାନନ୍ଦ ରାଉତ ଏବଂ ସମ୍ପାଦକ ପଦବୀ ନିମନ୍ତେ ଆଇନଜୀବୀ ପ୍ରଦୀପ କୁମାର ନାୟକ ଦାଖଲ କରିଥିବା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂହ ଏବଂ ଅତିରିକ୍ତ ନିର୍ବାଚନ ଅଧିକାରୀ ନୀଳମାଧବ ରଥ ଜଣାଇଛନ୍ତି।
ସଭାପତି ପଦବୀ ନିମନ୍ତେ ହୃଦୟ ରଞ୍ଜନ ମେକାପ,ଏ.ସୋମେଶ୍ୱର ରାଓ,ଉପସଭାପତି ନିମନ୍ତେ ସଞ୍ଜୟ କୁମାର ପଣ୍ଡା ଓ ସୁକାନ୍ତ କୁମାର ପ୍ରଧାନ। ସମ୍ପାଦକ ପଦବୀ ନିମନ୍ତେ କୁରେଶୁ ପଣ୍ଡା,ସନ୍ତୋଷ କୁମାର ସାହୁ,ସହ – ସମ୍ପାଦକ ନିମନ୍ତେ ରବିଚନ୍ଦ୍ର ଗୌଡ଼ ଏବଂ ଜୟକୃଷ୍ଣ ମହାପାତ୍ର,କୋଷାଧ୍ୟକ୍ଷ ପଦବୀ ନିମନ୍ତେ ସୀମାଞ୍ଚଳ ପ୍ରଧାନଙ୍କ ନାମାଙ୍କନ ପତ୍ର କାଏମ ରହିଛି। କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି। ଅନ୍ୟ ସମସ୍ତ ପଦବୀ ନିମନ୍ତେ ଦିି-ମୁଖି ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାପଡିଛି।
ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଶନିବାର ପ୍ରକାଶ ପାଇବ। ୨୮ ତାରିଖ ସକାଳ ୭ ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଣାଇଛନ୍ତି।
Dharitri – Odisha’s No.1 Odia Daily