ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା ଓ କର୍ମୀ ଏବଂ ଶୁଭେଚ୍ଛୁମାନେ ବିଧାୟକ ସେଠୀଙ୍କୁ ଗଞ୍ଜାମ ଜିଲାପରିଷଦ ଭନ ନିକଟକୁ ଏକ ଶୋଭାଯାତ୍ର ମାଧ୍ୟମରେ ପାଛୋଟି ଆଣିଥିଲେ। ସେଠାରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ପରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କୁ ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ଆସନରେ ବସାଇଥିଲେ । ଏହା ପରେ ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଓ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ ତାଙ୍କର ଶୁଭେଚ୍ଛୁମାନେ ଫୁଲତୋଡ଼ା ଦେଇ ସ୍ବାଗତ ଶୁଭେଚ୍ଛା ଜଣାଇଥିଲେ । ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ପୂର୍ଣ୍ଣ ଚନ୍ଦ୍ର ସେଠୀ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭା ସାଂସଦ ତଥା ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଇଥିଲେ । ମୋ ଜିଲା ଗଞ୍ଜାମ ଜିଲା ଓଡ଼ିଶାର ସବୁଠୁ ବଡ଼ ଜିଲା। ଏହି ଜିଲାରେ ୧୩ ଜଣ ବିଧାୟକ ଅଛନ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ମୋତେ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାହାକୁ ମୁଁ କିପରି ସୁଚାରୁରୂପେ ତୁଲାଇବି ତାହା ଚେଷ୍ଟା କରିବି । ମୋ ବିଧାୟକ ସାଙ୍ଗଗଣ ଏବଂ ବିଏମସି ମେୟର ଜିଲା ପରିଷଦ ଅଧ୍ୟକ୍ଷା / ଉପାଧ୍ୟକ୍ଷା ଠାରୁ ଆରମ୍ଭ କରି ସରପଞ୍ଚ ମାନଙ୍କ ସହଯୋଗରେ ନିଦଳୀୟ ଭାବେ ଜିଲାର ବିକାଶ ନିମନ୍ତେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତ। ଓଡ଼ିଶା ମାନଚିତ୍ରରେ ଗଞ୍ଜାମ ଜିଲା ଉନ୍ନତିମୂଳକ କାମ କରି ଆଗରେ ରହିବା ନିମନ୍ତେ ସେ ଆଜିଠୁ ପ୍ରୟାସ ଜାରି ରଖିବେ ବୋଲି ମଧ୍ୟ ସେ କହିଥିଲେ। ଏହା ସହିତ ଜିଲାକୁ ଦାଦନ ମୁକ୍ତ ଜିଲା କରାଯିବ ଏବଂ ଆସିକା ଚିନି କଳ କିପରି ଉନ୍ନତି ହେବ ତାହା ଉପରେ ଗୁରୁତ୍ୱ ଦେବେ ବୋଲି ମଧ୍ୟ ବିଧାୟକ କହିଛନ୍ତି।