ନୂଆଦିଲ୍ଲୀ,୨୭।୨: IPL 2025 ଆରମ୍ଭ ହେବାକୁ ଏକ ମାସରୁ କମ ସମୟ ବାକି। ଏହାପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସେନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରିଛି। ଫ୍ରାଞ୍ଚାଇଜ ତାଙ୍କୁ ନୂତନ ସିଜିନ ପାଇଁ ନିଜର ମେଣ୍ଟର କରିଛି। ଏନେଇ ଦଳ ଏହାର ଆପ୍ରେ ଘୋଷଣା କରିଛି।
ପିଟରସେନଙ୍କ ନାମ ଘୋଷଣା କରି ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ଲେଖିଛି, ‘Go to DC Fan sabha App, ଜଣେ ଦିଲ୍ଲୀର ପୁରୁଣା ଲୋକ ଫେରି ଆସିଛନ୍ତି।’ ତେବେ IPLରେ ପିଟରସେନ ଦିଲ୍ଲୀ ଦଳ ପାଇଁ ଖେଳିବା ସହିତ ଏହାର ଅଧିନାୟକ ମଧ୍ୟ ହୋଇଥିଲେ। ଏବେ ପ୍ରଥମ ଥର ପାଇଁ, ସେ ଏହି ଟୁର୍ନାମେଣ୍ଟରେ ମେଣ୍ଟର ଭୂମିକାରେ ନଜର ଆସିବେ।
ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୫ ପାଇଁ ହେମାଙ୍ଗ ବଦାନୀଙ୍କୁ ମୁଖ୍ୟ ପ୍ରଶିକ୍ଷକ(ହେଡ୍ କୋଚ୍) ଭାବରେ ନିଯୁକ୍ତ କରିଛି।
ସେହିପରି ଇଂଲଣ୍ଡର ଧଳା ବଲ ପ୍ରଶିକ୍ଷକ ଥିବା ମାଥ୍ୟୁ ମଟ ସହାୟକ ପ୍ରଶିକ୍ଷକ ଭୂମିକାରେ ଦେଖାଯିବେ, ଯେତେବେଳେ ଫ୍ରାଞ୍ଚାଇଜ ଭାରତର ଅଭିଜ୍ଞ ପେସର ମୁନାଫ ପଟେଲଙ୍କୁ ବୋଲିଂ ପ୍ରଶିକ୍ଷକ ଭାବରେ ବାଛିଚି। ଏହା ବ୍ୟତୀତ ଭେଣୁଗୋପାଳ ରାଓ କ୍ରିକେଟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ଏବେ ୪୪ ବର୍ଷୀୟ କେଭିନ ପିଟରସେନ ମଧ୍ୟ ଏହି ପ୍ରଶିକ୍ଷକ ଦଳରେ ପ୍ରବେଶ କରିଛନ୍ତି। ପିଟରସେନ ୨୦୧୪ ସିଜିନରେ ଏହି ଦଳ ପାଇଁ ଖେଳାଳି ଏବଂ ଅଧିନାୟକ ଭାବରେ ଖେଳିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ୨ଟି ମ୍ୟାଚ ଜିତିପାରିଥିଲା।
ପିଟରସେନ ୨୦୦୯ ମସିହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ୍ରେ ଡେବ୍ୟୁ କରିଥିଲେ। ସେ ଶେଷ ଥର ପାଇଁ ଏହି ଟୁର୍ନାମେଣ୍ଟରେ ୨୦୧୬ ସିଜିନରେ ରାଇଜିଂ ପୁଣେ ସୁପରଜିଆଣ୍ଟସ ପାଇଁ ଖେଳିଥିଲେ। ଏହି ଲିଗରେ ଖେଳୁଥିବା ସମୟରେ ସେ ୩ ଫ୍ରାଞ୍ଚାଇଜ ପକ୍ଷରୁ ଖେଳିିଥିଲେ। IPL ବ୍ୟତୀତ ସେ ପାକିସ୍ତାନ ସୁପର ଲିଗ୍, ବିଗ୍ ବାଶ ଲିଗ୍ ଏବଂ କାରିବିଆନ୍ ପ୍ରିମିୟର ଲିଗ୍ରେ ମଧ୍ୟ ଖେଳିଛନ୍ତି।