ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସେମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଏହି ଶିବିର ହୋଇଥିଲା। ଶିବିରରେ ଜିଲାର ୧୦ ଟି କୃଷକ ଉତ୍ପାଦକ ସଂଘର ୨୫ ଜଣ କର୍ମକର୍ତ୍ତା ଯୋଗ ଦେଇଥିଲେ। ଜିଲାରେ କୃଷକ ଉତ୍ପାଦକ ସଂଘ ମାନଙ୍କର କୃଷିଭିତ୍ତିକ ଦକ୍ଷତା ବୃଦ୍ଧି କରିବା, ସଂଘବଦ୍ଧ ବଜାର, ରଣନୀତି ପ୍ରସ୍ତୁତି କରିବା । ବଜାର ସଂଯୋଗ କରିବା ଓ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବା ନେଇ ଜ୍ଞାନକୌଶଳ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୃଷକ ଉତ୍ପାଦକ ସଂଘର ପରିଚାଳନା, ବ୍ୟବସାୟିକ ଯୋଜନା ପ୍ରସ୍ତୁତି ଓ ମାର୍କେଟ ରିସର୍ଚ୍ଚ ଆଦି ବିଷୟବସ୍ତୁ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂଘବଦ୍ଧ ରଣନୀତି ଓ ସିଧା ବଜାର ସଂଯୋଗ କରି କିପରି ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ଅତିଥିମାନେ ତାଲିମ ପ୍ରଦାନ କରିଥିଲେ। ଅଂଶଗ୍ରହଣ କରିଥିବା କୃଷି ଉତ୍ପାଦକ ସଂଘର ନିର୍ଦ୍ଦେଶକମାନେ ନିଜର ବିପଣନ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶେଷଜ୍ଞ ଯଥା ସୁଚେତା ପାତ୍ର, ମଣ୍ଡଳ କୃଷି ଅଧିକାରୀ, ବେଲଗୁଣ୍ଠା, ଶୁଭଶ୍ରୀ ଅଙ୍କିତା ପ୍ରଧାନ, ସହକାରୀ ଉଦ୍ୟାନ ଅଧିକାରୀ ଜଗନ୍ନାଥପ୍ରସାଦ, ବି-ମାସର ଦାଶରଥି ଓ ଅସିତ୍‌ ଚାନ୍ଦ ସାହୁ ପ୍ରମୁଖ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ କିପରି ଆର୍ଥିକ ସୁବିଧା ପାଇ ପାରିବେ ଏବଂ ବ୍ୟବସାୟ ବଢ଼ାଇ ପାରିବେ ସେ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ଃ ସୁତନୁ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ
କୃଷକ ଉତ୍ପାଦକ ସଂଗଠନ ମାନେ କିପରି ବ୍ୟବସାୟକୁ ଆଗକୁ ବଢ଼ାଇବେ ସେ ନେଇ କହିଥିଲେ। କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଡ଼ଃ ସନ୍ତୋଷ କୁମାର ସାମନ୍ତରାୟ, ଅନିତା ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

Dharitri – Odisha’s No.1 Odia Daily

Share