ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ ଅଧିକ ପ୍ରତିଷ୍ଠିତ ରୋବୋଟିକ୍ସ କମ୍ପାନୀକୁ ପଛରେ ପକାଇ ସିଙ୍ଗାପୁର ଜଳ ପରିଚାଳନା ପ୍ରାଧିକରଣଠାରୁ ୮୦ କୋଟି ଟଙ୍କାର ଏକ ଚୁକ୍ତି ହାସଲ କରିଛି ଏହି କମ୍ପାନୀ।
୨୦୧୫ରେ ଚାରିଜଣ ଯୁବ ଇଞ୍ଜିନିୟରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଷ୍ଟାର୍ଟଅପ୍ ମଣିଷଙ୍କ ଦ୍ୱାରା ମଇଳା ସଫା କରିବା ଭଳି ବିପଜ୍ଜନକ ପ୍ରଥାକୁ ବନ୍ଦ କରିବା ପାଇଁ ‘ବ୍ୟାଣ୍ଡିକ୍ୟୁଟ୍’ ନାମକ ରୋବୋଟ୍ ପ୍ରସ୍ତୁତ କରିଥିଲା। ବର୍ତ୍ତମାନ ଏହି କମ୍ପାନୀ ସିଙ୍ଗାପୁରରେ ୪୪ଟି ଅତ୍ୟାଧୁନିକ ରୋବୋଟିକ୍ ୟୁନିଟ୍ ମୁତୟନ କରିବ। ସେଥିମଧ୍ୟରେ ରହିଛି ‘ୱିଲବୋର’ ନାମକ ଏକ ରୋବୋଟିକ୍ ରୋଭର, ଯାହା ଅତ୍ୟନ୍ତ ବିଷାକ୍ତ ଏବଂ ସଂକୀର୍ଣ୍ଣ ପରିବେଶରେ ନାଳନର୍ଦ୍ଦମା ଓ ଟାଙ୍କି ସଫା କରିବାରେ ସକ୍ଷମ।
୧୮ ମାସର କଠିନ ଯାଞ୍ଚ ପରେ ସିଙ୍ଗାପୁର ସରକାର ଏହି ଚୁକ୍ତିକୁ ମୋହର ମାରିଛନ୍ତି। ଏହା କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ଦର୍ଶାଉଛି ଯେ ଭାରତୀୟ ରୋବୋଟିକ୍ସ ବିଶ୍ୱ ସ୍ତରରେ ସର୍ବଶ୍ରେଷ୍ଠ।
ଆନନ୍ଦ ମହିନ୍ଦ୍ରା ଏବଂ ଜୋହୋ କର୍ପୋରେସନ୍ ଭଳି ବଡ଼ ନିବେଶକ ଏହି କମ୍ପାନୀରେ ପୁଞ୍ଜି ବିନିଯୋଗ କରିଛନ୍ତି। ୨୦୨୫ ଆର୍ଥିକ ବର୍ଷରେ ୩୨ କୋଟି ଟଙ୍କାର ବ୍ୟବସାୟ କରିଥିବା ଏହି କମ୍ପାନୀ ଆଗାମୀ କିଛି ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଭାରତର ୧୦୦ରୁ ଅଧିକ ସହର ସମେତ ବ୍ରିଟେନ, ମାଲେସିଆ ଏବଂ ଦୁବାଇ ଭଳି ଦେଶରେ ମଧ୍ୟ ଜେନରୋବୋଟିକ୍ସର ଟେକ୍ନୋଲୋଜି ବ୍ୟବହାର କରାଯାଉଛି।