Idrissa Sylla of NorthEast United FC celebrates after scoring a goal during match 7 of the 7th season of the Hero Indian Super League between Kerala Blasters FC and NorthEast United FC held at the GMC Stadium, Bambolim, Goa, India on the 26th November 2020 Photo by Faheem Hussain / Sportzpics for ISL
ବାମ୍ବୋଲିମ୍(ଗୋଆ): ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ର ଗୁରୁବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ଓ ନର୍ଥଇଷ୍ଟ ୟୁନାଇଟେଡ ପଏଣ୍ଟ ଭାଗ କରିଛନ୍ତି। ପ୍ରଥମାର୍ଦ୍ଧରେ କେରଳ ଦଳ ୨-୦ ଗୋଲରେ ଅଗ୍ରଣୀ ରହିଥିଲେ ହେଁ ନର୍ଥଇଷ୍ଟ ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ଡ୍ର ରଖିଥିଲା। ୨ ମ୍ୟାଚରୁ ୧ ବିଜୟ ଓ ୧ ଡ୍ର ସହ ନର୍ଥଇଷ୍ଟର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଏଠାରୁ ପୂରା ୩ ପଏଣ୍ଟ ଆଶା କରୁଥିବା କେରଳକୁ ୧ ପଏଣ୍ଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। କେରଳର ସିତ୍ୟାସେନ ସିଂ ପାସ୍ ଅଫ୍ ଦି ମ୍ୟାଚ ଏବଂ ନର୍ଥଇଷ୍ଟର ଡିଲାନ ଫକ୍ସ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ମ୍ୟାଚ ଆରମ୍ଭରୁ କେରଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୫ମ ମିନିଟରେ ଡାହାଣ ପଟରୁ ସିତ୍ୟାସେନ ସିଂଙ୍କ ଫ୍ରି କିକ୍ ବକ୍ସ ମଧ୍ୟକୁ ଆସିଥିବାବେଳେ ସର୍ଗିଓ ସିଡୋଞ୍ଚା ଜମ୍ପକରି ହେଡ୍ ଜରିଆରେ ଏହାକୁ ଗୋଲରେ ପରିଣତ କରି କେରଳକୁ ଅଗ୍ରଣୀ ଦେଇଥିଲେ। ୪୫ତମ ମିନିଟରେ ବକ୍ସ ଏରିଆ ମଧ୍ୟରେ ନର୍ଥଇଷ୍ଟ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ପାଇଁ କେରଳକୁ ପେନାଲ୍ଟି ସୁଯୋଗ ମିଳିଥିଲା। ଗ୍ୟାରୀ ହୁପର କୌଣସି ଭୁଲ୍ ନ କରି ଏହାକୁ ଗୋଲରେ ପରିଣତ କରିବା ସହ କେରଳ ଅଗ୍ରଣୀକୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ରେ ପହଞ୍ଚାଇ ଦେଇଥିଲେ। ଗୋଲ ପରିଶୋଧ ଲକ୍ଷ୍ୟରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ନର୍ଥଇଷ୍ଟ ଆକ୍ରମଣକୁ ଜୋର୍ଦାର କରିଥିଲା। ୫୧ତମ ମିନିଟରେ କ୍ୱେସି ଆପିଆ ଗୋଟିଏ ଗୋଲ ପରିଶୋଧ କରିବାରୁ ମ୍ୟାଚରେ ରୋମାଞ୍ଚ ଆସିଥିଲା। ୬୫ତମ ମିନିଟରେ ନର୍ଥଇଷ୍ଟ ପାଇଁ ମ୍ୟାଚକୁ ସମାନ ସ୍ତରକୁ ଆଣିବାକୁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ଗୋଲପୋଷ୍ଟ ବକ୍ସ ଏରିଆରେ ଆପିଆଙ୍କୁ କେରଳର ଜେସିଲ ଆଲାନ କାର୍ନେଇରୋ ଠେଲି ତଳେ ପକାଇ ଦେବାରୁ ନର୍ଥଇଷ୍ଟକୁ ପେନାଲ୍ଟି ମିଳିଥିଲା। ମାତ୍ର ଆପିଆଙ୍କ ଶଟ୍ ମିସ୍ ହୋଇଥିଲା। ସେ ଲଫ୍ଟ କର୍ନରରେ ବଲ୍ ମାରିବାକୁ ଉଦ୍ୟମ କରିଥିବାବେଳେ ତାହା ବାର୍ ଉପରେ ଚାଲି ଯାଇଥିଲା। ୯୦ତମ ମିନିଟରେ କେରଳ ୨-୧ରେ ଅଗ୍ରଣୀ ରହିଥିଲା। ମାତ୍ର ୫ ମିନିଟ ଇଞ୍ଜୁରି ଟାଇମ୍ ନର୍ଥଇଷ୍ଟ ପାଇଁ ଶୁଭ ସାବ୍ୟସ୍ତ ହୋଇଥିଲା। ୯୦+୧ ମିନିଟରେ ଗୁରଜିନ୍ଦରଙ୍କଠାରୁ ପାଇଥିବା ଲଙ୍ଗ୍ ପାସ୍କୁ ନିୟନ୍ତ୍ରଣକୁ ଆଣି ଇଦ୍ରିସା ସିଲା ଗୋଲ ଦେବାସହ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ।