ସଂସଦରେ ଜିଲାର ହକ୍‌ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

କେନ୍ଦୁଝର,୧୮।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ସୋମବାର ସଂସଦରେ ରେଳ ବିଭାଗ ସମ୍ପର୍କିତ ଜିଲାର ହକ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ହାଓଡା ବଡବିଲ ଜନ ଶତାବ୍ଦୀ ଏକ୍ସପ୍ରେସକୁ କେନ୍ଦୁଝର ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବର୍ତ୍ତମାନ ସଂଯୋଗ ନ ଥିବା କାରଣକୁ ଲୋକମାନେ ହଇରାଣ ହେଉଛନ୍ତି । ତେଣୁ ଏହି ଟ୍ରେନକୁ କେନ୍ଦୁଝର ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଉ ବୋଲି ଏମ୍‌ପି କହିଛନ୍ତି। ଏଥିସହ ଏମ୍‌ପି ଆହୁରି କହିଛନ୍ତି ଯେ, ପୁରୀ- ବଡବିଲ ଟ୍ରେନକୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ଏକ୍ସପ୍ରେସ ଭାବେ ନାମିତ କରିବା ସହ ପୁରୀ ବଡବିଲ ଏକ୍ସପ୍ରେସରେ ଏସି କୋଚ ସଂଖ୍ୟା ବୃଦ୍ଧି କରାଯାଉ । କେନ୍ଦୁଝରରୁ ଧାମରା ବନ୍ଦରକୁ ହେଉଥିବା ଖଣିଜ ପରିବହନ ସିଧାସଳଖ ଆନନ୍ଦପୁର ଦେଇ ସଂଯୋଗ କରିବା ସହିତ ମା’ ତାରିଣୀ ମନ୍ଦିର ଘଟଗାଁକୁ ରେଳ ସଂଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଏମ୍‌ପି ଅନନ୍ତ ନାୟକ। କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଜିଲାରେ ରେଳ ସଂଯୋଗୀକରଣ ସହିତ ଆଧୁନିକରଣ ତଥା ନୂତନ ଟ୍ରେନ ମିଳିଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।