କେନ୍ଦୁଝର/ହାଟଡିହୀ,୧୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ): କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ଆଦେଶ ଘଟଣା ସମ୍ପର୍କିତ ଏକ ନୂଆ ତଥ୍ୟ ପଦାକୁ ଆସିଛି ।କାର୍ଯ୍ୟାନୁଷ୍ଠାନ ନ ନେବାକୁ ମାନ୍ୟବର ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେବାର ପରଦିନ ସମବାୟ ସମିତି ସମୂହ ନିବନ୍ଧକ ନିଲମ୍ବନ ଆଦେଶ ଜାରି କରିଥିଲେ। ଯାହାକି ଏବେ ଗୁରୁତର ପ୍ରସଙ୍ଗ ସାଜିଛି l
ସୂଚନାଯୋଗ୍ୟ, ବ୍ୟାଙ୍କର ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଗତ ୧୬ ସେପ୍ଟେମ୍ବର ୨୦୨୫ରେ ତଦନ୍ତ ରିପୋର୍ଟ ସମବାୟ ବିଭାଗରେ ଉପସ୍ଥାପନା କରାଯାଇଥିଲା । ପରେ ଗତ ୨୨ ସେପ୍ଟେମ୍ବର ୨୦୨୫ ରେ ତଦନ୍ତ ରିପୋର୍ଟ ଆଧାରରେ ଜବାବ ଦାଖଲ ପାଇଁ ବ୍ୟାଙ୍କ ପରିଚାଳନା ସମିତିକୁ ନୋଟିସ ଜାରି ହୋଇଥିଲା । ଏଥିସହ ଘଟଣାର ଶୁଣାଣି ପାଇଁ ଗତ ୧୪ ଅକ୍ଟୋବର ୨୦୨୫କୁ ଦିନ ଧାର୍ଯ୍ୟ ହୋଇଥିଲା । ପରଦିନ ଅର୍ଥାତ ଗତ ୧୫ ଅକ୍ଟୋବର ୨୦୨୫ରେ ଓଡିଶା ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ ନିଲମ୍ବନ ଆଦେଶ ଜାରି କରିଥିଲେ ।
ଅପରପକ୍ଷେ ତଦନ୍ତ ରିପୋର୍ଟକୁ ବିରୋଧ କରି ଦେବପ୍ରିୟ ପାତ୍ର ଏବଂ ଗୋଲାପ ନାଇକ ଦୁଇଟି ଭିନ୍ନ ଭିନ୍ନ ମାମଲା ଓଡିଶା ହାଇକୋର୍ଟଙ୍କ ନିକଟରେ ଦାୟର କରିଥିଲେ। କେସ ନଂ ଡବ୍ଲ୍ୟୁପି(ସି)-୨୯୦୦୭/୨୦୨୫ ଏବଂ ଡବ୍ଲ୍ୟୁପି(ସି)-୨୮୯୭୨/୨୦୨୫ ଅଟେ। ଗତ ୧୪ ଅକ୍ଟୋବର ୨୦୨୫ରେ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥିଙ୍କ ଖଣ୍ଡପୀଠରେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଦେବପ୍ରିୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଏବଂ ଗୋଲାପଙ୍କ ତରଫରୁ ଆଇନଜୀବି ପିକେ ରଥ ମାମଲା ପରିଚାଳନା କରୁଥିଲେ। ସମ୍ପୃକ୍ତ ଘଟଣାରେ ଓଡିଶା କୋଅପରେଟିଭ ସୋସାଇଟିଜ ଆକ୍ଟ ୧୯୬୨ର ସେକ୍ସନ ୬୫(୧),୬୫(୨),୬୫(୩) ପ୍ରୋଭିଜନକୁ ଅନୁସରଣ କରାଯାଇନଥିବା ଆବେଦନକାରୀଙ୍କ ଆଇନଜୀବି ଶୁଣାଣି ସମୟରେ ଯୁକ୍ତି ଉପସ୍ଥାପନା କରିଥିଲେ। ମାନ୍ୟବର ହାଇକୋର୍ଟ ଗତ ୧୪ ଅକ୍ଟୋବର ୨୦୨୫ ରେ ଜବାବ ଦାଖଲ ହୋଇନଥିଲେ ଆସନ୍ତା ୨୫ ଅକ୍ଟୋବର ୨୦୨୫ କିମ୍ବା ପୂର୍ବରୁ ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ। ଏଥିସହ ୧୫ ନଭେମ୍ବର ୨୦୨୫ କିମ୍ବା ପୂର୍ବରୁ ସମ୍ପୃକ୍ତ ଘଟଣା ଦିଗରେ ଆଇନଗତ ନିଷ୍ପତି ନେବା ସହ ୧୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ।
ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ କହିଛନ୍ତି ଆମେ କୋର୍ଟଙ୍କ ଆଦେଶ ପାଇ ନଥିଲୁ। ତେବେ ନିଲମ୍ବନ ଆଦେଶ ଦିନ ଜିଲାପାଳ ଦାୟିତ୍ଵ ନେଇଛନ୍ତି। ନିର୍ବାଚନ ଡ୍ୟୁଟି ରେ ବାହାର ରାଜ୍ୟରେ ଥିବାରୁ ଅଧିକ କିଛି କହି ପାରିବେ ନାହିଁ। ଏନେଇ ଆବେଦନକାରୀ ଦେବପ୍ରିୟ ପାତ୍ର କହିଛନ୍ତି ଯେ ଏହା କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହୋଇଛି। ଏ ନେଇ ଅଦାଲତ ଅବମାନନା କେସ କରାଯାଇଛି।
Dharitri – Odisha’s No.1 Odia Daily