ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ କର୍ମଚାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଯୋଜନା ବିଫଳ ହେବା ସହ ଜଙ୍ଗଲଗୁଡିକ ଦିନକୁ ଦିନ ପଦା ହେବାରେ ଲାଗିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡର ଧର୍ମଗଡ ରେଞ୍ଜ ଅନ୍ତର୍ଗତ କେଳିଆ ସଂରକ୍ଷିତ ଜଙ୍ଗଲରେ। ବନବିଭାଗର ଖାମଖିଆଲି ମନୋଭାବ ଯୋଗୁ ଏବେ ଏହି ଜଙ୍ଗଲ ପଦା ହେବାକୁ ବସିଛି।
କେଳିଆ ସଂରକ୍ଷିତ ଜଙ୍ଗଲ ପ୍ରାୟ ୭୪୦ ହେକ୍ଟର ରହିଥିବାବେଳେ ଏହା ଜୁନାଗଡ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତର କେଲିଆ, ମୁଣ୍ଡିଗୁଡା ଓ ଆଟିଗାଁ ପଞ୍ଚାୟତ ଆଟିଗାଁ, ବାଗଡୁଙ୍ଗରୀ ଓ କାନ୍ଦୁଲଗୁଡା ମଧ୍ୟରେ ରହିଛି। ଦିନେ ସବୁଜମୟ ଥିବା ଏହି ଜଙ୍ଗଲରେ ଶାଗୁଆନ ଭଳି ଅନେକ ପ୍ରକାର ମୂଲ୍ୟବାନ ଗଛ ରହିଥିଲା । କାଳକ୍ରମେ କାଠ ମାଫିଆମାନେ ରାତିରେ ଆସି ମୂଲ୍ୟବାନ ଗଛଗୁଡିକ କାଟି ନେଇଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ଘର କରିବା ପାଇଁ ବିଭିନ୍ନ ପ୍ରକାର ଗଛ କାଟି ନେଇଥିଲେ। ସେହିପରି ଜଙ୍ଗଲରେ ନିଆଁ ଲାଗି ଯାଇ ଗଛଗୁଡିକ ମରିଯାଉଥିବା ଦେଖିବାକୁ ମିଳିଛି। ଗତ ୯ ତାରିଖ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା ପାଇଁ ଦକ୍ଷିଣ ବନଖଣ୍ଡ ପକ୍ଷରୁ  ମାଷ୍ଟର ପ୍ଲାନ କରାଯାଇଛି ବୋଲି ଭବାନୀପାଟଣାରେ ଏକ ଖବରଦାତା ସମ୍ମିଳନୀରେ ଏସିଏଫ୍‌ ଓମକାର ଦାଶ ପ୍ରକାଶ କରିଥିବାବେଳେ  ବାସ୍ତବରେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଜଙ୍ଗଲର ସ୍ଥିତିରୁ ସ୍ପଷ୍ଟ ହେଉଥିବା କୁହାଯାଉଛି। ନିଆଁ ଲାଗିବା  ଯୋଗୁ ଜଙ୍ଗଲର ଆୟତନ ପୂର୍ବପେକ୍ଷା କମିଯାଇଛି। ଏପରିସ୍ଥଳେ ବନବିଭାଗ ପକ୍ଷରୁ ଏହି ଜଙ୍ଗଲକୁ ସବୁଜମୟ କରିବା ପାଇଁ ଗତ ୧୦ ବର୍ଷରେ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଫଳ ଶୂନ ବୋଲି ଚର୍ଚ୍ଚା ଜୋର ଧରିଛି।

ଆମ ତରଫରୁ ଏନେଇ ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କହଁରଙ୍କ ମୋବାଇଲ ନମ୍ବରକୁ  ଓ ACF  ଓମକାର ଦାଶଙ୍କ ମୋବାଇଲ ନଂକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଦୁହେଁ ଫୋନ ଉଠାଇ ନ ଥିଲେ। ଏହି ଘଟଣା ପ୍ରତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Share