ବିଜୟା ଦଶମୀରେ କେସିଆର୍‌ କରିପାରନ୍ତି ବଡ଼ ଘୋଷଣା

ହାଇଦ୍ରାବାଦ,୨୯।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଆସନ୍ତା ଅକ୍ଟୋବର ୫ ବିଜୟା ଦଶମୀରେ ତାଙ୍କର ଜାତୀୟ ଦଳ ଶୁଭାରମ୍ଭ କରିବେ ବୋଲି ଆଶା କରାଯାଉଛି। ସେଦିନ ଟିଆର୍‌ସି ବିଧାୟକ ଦଳ ବୈଠକ ବସି କେସିଆର୍‌ଙ୍କୁ ଜାତୀୟ ଦଳ ଆରମ୍ଭ କରିବା ଲାଗି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ କରାଇବେ। ପରେ ଟିଆର୍‌ଏସ୍‌ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଉ ଏକ ପ୍ରସ୍ତାବ ଗୃହୀତ କରାଇ କେସିଆର୍‌ଙ୍କୁ ଜାତୀୟ ଦଳ ଆରମ୍ଭ କରିବା ଲାଗି ଅନୁରୋଧ କରିବ। ଅକ୍ଟୋବର ୫ ତାରିଖ ଅପରାହ୍ନ ୧ଟା ବେଳେ ତେଲଙ୍ଗାନା ଭବନରେ କେସିଆର୍‌ ଜାତୀୟ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ପ୍ରଶାନ୍ତ କିଶୋରଙ୍କ ଆଇ-ପିଏସି କେସିଆର୍‌ଙ୍କ ସହ କାର୍ଯ୍ୟ ଜାରି ରଖିବ ବୋଲି କୁହାଯାଉଛି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ କେସିଆର୍‌ ଦିଲ୍ଲୀରେ ଏକ ସାଧାରଣ ସଭା କରିବେ ବୋଲି ଆଶା କରାଯାଉଛି।