ଟଙ୍କା ଫେରାଇଲେ କାବ୍ୟା ମାରନ୍‌…IPL ୨୦୨୫ ସ୍ଥଗିତ ରହିବା ଉପରେ ନେଲେ ବଡ଼ ପଦକ୍ଷେପ 

ନୂଆଦିଲ୍ଲୀ,୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲ୍‌ ୨୦୨୫କୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଛି। ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ମ୍ୟାଚ୍‌ ସ୍ଥଗିତ ରଖାଯାଇଛି। ବୋର୍ଡର ଏହି ନିଷ୍ପତ୍ତି ପରେ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାବ୍ୟା ମାରାନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଦର୍ଶକଙ୍କୁ ଟଙ୍କା ଫେରସ୍ତ କରିବାକୁ ଘୋଷଣା କରିଛନ୍ତି। ତାଙ୍କ ଦଳ ମେ ୧୦ ତାରିଖରେ ହାଇଦ୍ରାବାଦରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏବେ ଟୁର୍ନାମେଣ୍ଟ ସ୍ଥଗିତ ଥିବାରୁ ଏହି ମ୍ୟାଚ୍‌ ହେବ ନାହିଁ। ତେଣୁ ଫ୍ରାଞ୍ଚାଇଜ ଏହି ମ୍ୟାଚ୍‌ ପାଇଁ ଟିକେଟର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବ। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏକ ଜରୁରୀକାଳୀନ ବୈଠକ ଡାକିଥିଲା। ଏହି ସମୟ ମଧ୍ୟରେ, ସମସ୍ତ ଫ୍ରାଞ୍ଚାଇଜ ମାଲିକଙ୍କ ସହ କଥା ହେବା ପରେ, ମେ ୯ ରୁ ୧ ସପ୍ତାହ ପାଇଁ ଲିଗ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପରେ, SRH ୧୦ ମେ ରେ ହେବାକୁ ଥିବା ମ୍ୟାଚ୍‌ର ଟିକେଟ ପାଇଁ ଟଙ୍କା ଫେରସ୍ତ କରିବାକୁ ଘୋଷଣା କରିଛି। ଫ୍ରାଞ୍ଚାଇଜ କହିଛି, “ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆଇପିଏଲ ୨୦୨୫କୁ ତୁରନ୍ତ ପ୍ରଭାବରୁ ସ୍ଥଗିତ ରଖାଯାଇଛି। ଟିକେଟ ଫେରସ୍ତ ସମ୍ପର୍କରେ ସୂଚନା ଖୁବ ଶୀଘ୍ର ଦିଆଯିବ।”
ଅନ୍ୟପକ୍ଷରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପରେ ଫ୍ରାଞ୍ଚାଇଜ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛି। SRH ଭାରତୀୟ ସେନାକୁ ସମର୍ଥନ ଦେଇ ସଲାମ କରିଛି। ଫ୍ରାଞ୍ଚାଇଜ କହିଛି, “ଆମେ ଗର୍ବରେ ଏକତା ସହିତ ଆମର ନାୟକମାନଙ୍କୁ ସମ୍ମାନ କରୁଛୁ, ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଅଟଳ ସମର୍ପଣକୁ ଆମେ ସଲାମ କରୁଛୁ। ଜୟ ହିନ୍ଦ।”