କବିସୂର୍ଯ୍ୟ ହେଉଛନ୍ତି ବଡ଼ଖେମୁଣ୍ଡିିର ଯୋଗଜନ୍ମା ପୁରୁଷ

ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଓଡ଼ିଶାର ଯୁଗଜନ୍ମା କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନକୁ ନେଇ ସୃଷ୍ଟି ହେଉଥିବା ଅଯଥା ଦ୍ୱନ୍ଦ୍ୱକୁ ବନ୍ଦ କରିବା ପାଇଁ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପରିଷଦ ଦୃଢ଼ ଭାବରେ ମତ ଦେଇଛି ଯେ କବିସୂର୍ଯ୍ୟ ହେଉଛନ୍ତି ତତ୍କାଳୀନ ବଡ଼ଖେମୁଣ୍ଡିିର ଯୋଗଜନ୍ମା ପୁରୁଷ।

ସ୍ମୃତି ପରିଷଦର କାର୍ଯ୍ୟକର୍ତ୍ତା ଏବଂ ଗବେଷକ ଡ. ଅନନ୍ତ ରାମ କର କୌଣ୍ଡନ୍ୟ ଉପସ୍ଥିତ ରହି ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ। କବିସୂର୍ଯ୍ୟ ବଳଦେବ ରଥ ୧୭୮୯ ମାଘ ମାସ ଶ୍ରୀ ପଞ୍ଚମୀ ତିଥିରେ ତତ୍କାଳୀନ ବଡ଼ଖେମୁଣ୍ଡିିର ବିଜୟନଗର ଗଡ଼ରେ ଜନ୍ମଗ୍ରହଣ କରିଥିଲେ, ଯାହା ବର୍ତ୍ତମାନ ଦିଗପହଣ୍ଡି ବ୍ଲକ୍ ଖମାରୀ ଗାଁ ପଞ୍ଚାୟତରେ ଅବସ୍ଥିତ।

ସ୍ମୃତି ପରିଷଦ ପକ୍ଷରୁ କୁହାଯାଇଛି ଯେ ୧୯୧୦ର ରାଜ୍ୟ ସରକାରଙ୍କ ପାଠ୍ୟ ପୁସ୍ତକ, ଗଞ୍ଜାମ ଗେଜେଟିୟର, ୧୯୨୮ର ପ୍ରଥମ କବିସୂର୍ଯ୍ୟ ଗ୍ରନ୍ଥାବଳୀ, ଗୋପାଳ ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମେତ ମୋଟ ୪୯ ଖଣ୍ଡ ପୁସ୍ତକରେ ତାଙ୍କ ଜନ୍ମସ୍ଥାନ ବିଜୟନଗରଗଡ଼ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି।

ଐତିହାସିକ ଲକ୍ଷ୍ମୀ ନାରାୟଣ ହରିଚନ୍ଦନଙ୍କ ‘ହିଷ୍ଟ୍ରି ଅଫ୍ ଆଠଗଡ଼’ ପୁସ୍ତକରେ କବିସୂର୍ଯ୍ୟଙ୍କ ଜନ୍ମ ଆଠଗଡ଼ରେ ହୋଇଥିବା କଥା କେଉଁଠି ଲେଖା ନ ଥିବା ସ୍ମୃତି କମିଟି ସଭାପତି ଆଇନଜୀବୀ ଅଶେଷ ନାଥ ମିଶ୍ର କହିଥିଲେ।

କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଏହି ସମସ୍ତ ତଥ୍ୟ ସମ୍ବଳିତ ସ୍ମାରକପତ୍ର ଗଞ୍ଜାମ ଅତିରିକ୍ତ ଜିଲାପାଳ (ରାଜସ୍ୱ)ଙ୍କୁ ପ୍ରଦାନ କରାଯାଇଛି। ଲୋକଙ୍କୁ ଭ୍ରମିତ ନ କରି ସମସ୍ତ ଐତିହାସିକ ତଥ୍ୟକୁ ଭିତ୍ତି କରି ରାଜ୍ୟ ସରକାର କବିସୂର୍ଯ୍ୟଙ୍କ ଜନ୍ମ ଦିଗପହଣ୍ଡି ବ୍ଲକ୍ ବିଜୟନଗର ଗଡ଼ ବୋଲି ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି। ଆବଶ୍ୟକ ହେଲେ ଦିଗପହଣ୍ଡି ଦେୱାନୀ ଅଦାଲତରେ ଏ ନେଇ ଅର୍ଜି ଦାଖଲ କରାଯିବ ବୋଲି ସ୍ମୃତି ପରିଷଦ ନିଷ୍ପତ୍ତି ନେଇଛି।

Share