ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କଟ୍ରିନା କୈଫ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। କିଛିଦିନ ହେଲା ସେ ଚଳଚ୍ଚିତ୍ରଜଗତରୁ ଦୂରେଇ ଯାଇଥିବା ବେଳେ ଏବେ ସେ ମା’ ହେବାକୁ ଯାଉଥିବା କୁହାଯାଉଛି। ପୂର୍ବରୁ ତାଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଥିବା ଖବର ଚର୍ଚ୍ଚାରେ ଥିଲା। ଏବେ ଏହି ଖବରକୁ ଆହୁରି ଦୃଢ଼ କରିଛି କଟ୍ରିନାଙ୍କର ଏକ ଫଟୋ, ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏପରିକି ତାଙ୍କର ଡେଲିଭରୀ ତାରିଖ ମଧ୍ୟ ସାମ୍ନାକୁ ଆସିଥିବା ଜାତୀୟ ଗଣମାଧ୍ୟମରେ କୁହାଯାଉଛି।
ରିପୋର୍ଟ ମୁତାବକ କଟ୍ରିନା ଏବଂ ସ୍ବାମୀ ବିକ୍କି କୌଶଲ ୧୫ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ନୂଆ ଅତିଥିର ସ୍ବାଗତ କରିପାରନ୍ତି। କଟ୍ରିନା ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ଅଛନ୍ତି। ତାଙ୍କର ଡେଲିଭରୀ ଆଗାମୀ ମାସରେ, ଅର୍ଥାତ ୧୫ ଅକ୍ଟୋବରରୁ ୩୦ ଅକ୍ଟୋବର ମଧ୍ୟରେ ହୋଇପାରେ। କ୍ୟାଟ୍ରିନା ଓ ଭିକ୍କି ଏହି ଖବରକୁ ଏପର୍ଯ୍ୟନ୍ତ ଗୋପନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଶିଶୁ ଜନ୍ମ ପରେ ଦୁହେଁ ଏହାର ଘୋଷଣା କରିପାରନ୍ତି।”
କଟ୍ରିନା କୈଫଙ୍କ ଏକ ଫଟୋ ରେଡିଟରେ ଶେୟାର ହୋଇଥିଲା, ଯେଉଁଥିରେ ସେ ମେରୁନ୍ ରଙ୍ଗର ଗାଉନରେ ନଜର ଆସିଥିଲେ। ଏହି ଫଟୋରେ ସେ କୌଣସି ପ୍ରୋଜେକ୍ଟର ସୁଟିଂ କରୁଥିବା ଦେଖାଯାଇଥିଲା। କିନ୍ତୁ ଯେଉଁ ଜିନିଷ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ଥିଲା କ୍ୟାଟ୍ରିନାଙ୍କର ବେବି ବମ୍ପ। ଏହି ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ କଟ୍ରିନାଙ୍କ ଗର୍ଭବତୀ ଥିବା ନିଶ୍ଚିତ ବୋଲି କହୁଛନ୍ତି। ତେବେ ଏହି ଫଟୋ ଆସଲି ନା ଏଡିଟ କରାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗର୍ଭାବସ୍ଥା ଗୁଜବ ସମ୍ପର୍କରେ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦିଆଯାଇନାହିଁ।