ରାତାରାତି କୋଟିପତି ହେଲେ କଶ୍ମୀର ଯୁବକ

ଅନନ୍ତନାଗ,୨୩।୫: ସମଗ୍ର ବିଶ୍ୱ କ୍ରିକେଟ୍‌ ଜଗତର ଆଖି ଏବେ ଭାରତରେ ଖେଳାଯାଉଥିବା ଆଇପିଏଲ୍‌ ୨୦୨୨ ଉପରେ ଅଛି। ଏହି ଲିଗରେ ବିଭିନ୍ନ ଦେଶର ଖେଳାଳିମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସାଧାରଣ ଲୋକ ମଧ୍ୟ ଏଥିରୁ ବିଭିନ୍ନ ପ୍ଲାଟଫର୍ମରେ ବହୁତ ଟଙ୍କା ରୋଜଗାର କରନ୍ତି। ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲାର ଜଣେ ଯୁବକ ଅନଲାଇନ ଫାଣ୍ଟାସି କ୍ରିକେଟ ପ୍ଲାଟଫର୍ମ ଡ୍ରିମ ୧୧ରେ ୨ କୋଟି ଟଙ୍କା ଜିତି ରାତାରାତି କୋଟିପତି ହୋଇଥିଲେ।
ବିଜବେହାରା ଅଞ୍ଚଳର ଶାଲଗାମ ଗାଁର ବାସିନ୍ଦା ୱାସିମ ରାଜା କହିଛନ୍ତି, ମୁଁ ଶନିବାର ବିଳମ୍ବିତ ରାତିରେ ଗଭୀର ନିଦ୍ରାରେ ଶୋଇଥିଲି, କିଛି ବନ୍ଧୁ ମୋତେ ଫୋନ କରି କହିଥିଲେ, ମୁଁ ଡ୍ରିମ ୧୧ ରେ ପ୍ରଥମ ନମ୍ବର ପାଇଛି। ଏହା ମୋ ପାଇଁ ଏକ ସ୍ବପ୍ନ ଭଳି ଥିଲା। ଗତ ୨ ବର୍ଷ ହେବ ଆଇପିଏଲରେ ଏକ ଫାଣ୍ଟାସି କ୍ରିକେଟ ପ୍ଲାଟଫର୍ମ ଡ୍ରିମ ୧୧ ଗଠନ କରି ନିଜ ଭାଗ୍ୟ ଚେଷ୍ଟା କରୁଆସୁଥିଲି। ଶେଷରେ ମୋ ସ୍ବପ୍ନ ସତ ହୋଇଛି। ଏହା ମୋତେ ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିବ କାରଣ ଆମେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରରୁ ଆସିଛୁ। ମୋ ମା’ ଅସୁସ୍ଥ ଅଛନ୍ତି ଏବଂ ଏବେ ମୁଁ ତାଙ୍କୁ ଚିକିତ୍ସା କରିବାକୁ ସମର୍ଥ ହେବି।
ଡ୍ରିମ-୧୧ ହେଉଛି ଭାରତୀୟ ସ୍ପୋର୍ଟସ ପ୍ଲାଟଫର୍ମର ଏକପ୍ରକାର ଅନଲାଇନ ସଟ୍ଟା। କ୍ରିକେଟ, ହକି, ଫୁଟବଲ, କବା ଓ ବାସ୍କେଟ ବଲ ଖେଳରେ ଭାଗ ନେଇ ୟୁଜର୍ସମାନେ ରାତାରାତି ବହୁ ଅର୍ଥ ରୋଜଗାର କରିପାରୁଛନ୍ତି।

Share